ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ଆଜି କଂଗ୍ରେସକୁ ଫେରି ଆସିଛନ୍ତି । ଗମାଙ୍ଗ ପରିବାର ସହ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବରିଷ୍ଠ ନେତା ଅଜୟ ମାକେନ୍ ଏବଂ ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ ସେମାନେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।
୮୨ ବର୍ଷୀୟ ଗିରିଧର ଗମାଙ୍ଗ କଂଗ୍ରେସ ଟିକେଟରେ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସେହି ଆସନରୁ ପତ୍ନୀ ହେମା ଗମାଙ୍ଗ ୧୩ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ନିର୍ବାଚନରେ ଶ୍ରୀ ଗମାଙ୍ଗ ଏହି ଆସନରୁ ନବମ ଥର ପାଇଁ ଲଢ଼ି ପୁନର୍ବାର ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ହାରିଥିଲେ । ଦକ୍ଷିଣ ଓଡ଼ିଶାର ଏହି ଆଦିବାସୀ ନେତାଙ୍କୁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ପି.ଭି. ନରସିଂହ ରାଓଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା । ୧୯୯୯ ମସିହାରେ ଏକମାତ୍ର ତାଙ୍କରି ଭୋଟ ହିଁ ବାଜପେୟୀଙ୍କ ସରକାରର ପତ୍ତନ ଘଟାଇଥିଲା ।
ଦୁଇ ଦୁଇ ଥର ହାରିଯିବା ପରେ ଗିରିଧର ଗମାଙ୍ଗ ଦଳ ପାଇଁ ଅଲୋଡ଼ା ହୋଇଯାଇଥିବା ଅଭିଯୋଗ ଆଣିଥିଲେ । ୨୦୧୫ ମସିହା ମେ’ ମାସରେ ସେ, ତାଙ୍କ ପତ୍ନୀ ଏବଂ ପୁଅ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ଶିଶିରଙ୍କୁ ଗୁଣୁପୁର ବିଧାନସଭା ଆସନରୁ ବିଜେପି ଟିକେଟ ଦେଇଥିଲା । ମାତ୍ର ଜୟରାମ ପାଙ୍ଗୀଙ୍କ ଗୋଟିଚାଳନା ଯୋଗୁଁ ସେ ଚତୁର୍ଥ ସ୍ଥାନରେ ରହିଥିବା ଅଭିଯୋଗ କରିଥିଲେ । ବିଜେପିରେ ସେମାନଙ୍କୁ ‘ହ୍ୟୁମିଲିଏସନ’ ଏବଂ ଅଣଦେଖା କରାଯାଉଥିବାର ଅଭିଯୋଗ ଆଣି ଗମାଙ୍ଗ ପରିବାର ଗତବର୍ଷ ଜାନୁଆରୀ ୨୫ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ।
ଦୁଇଦିନ ପରେ ଗତବର୍ଷ ୨୭ ତାରିଖରେ ଗିରିଧର, ପତ୍ନୀ ହେମା ଏବଂ ପୁଅ ଶିଶିର ହାଇଦ୍ରାବାଦ ଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ ହୋଇଥିଲେ । ବିଜେପିରେ ସେମାନଙ୍କ ପରମ ଶତ୍ରୁ କହୁଥିବା ଜୟରାମ ପାଙ୍ଗୀଙ୍କ ସହ ହାତ ମିଳାଇ ଓଡ଼ିଶାରେ ବିଆରଏସର ବିସ୍ତାର ପାଇଁ ମନ୍ତ୍ରଣା ଧରି ହାଇଦ୍ରାବାଦରୁ ଫେରଥିିଲେ । ମାତ୍ର ଓଡ଼ିଶାରେ କିଛି ବି କରିପାରିଲେନି ।
ତେଲେଙ୍ଗାନା ନିର୍ବାଚନରେ କେସିଆରଙ୍କ ପରାଜୟ ପରଠୁ ଗମାଙ୍ଗ ପରିବାର ନିଜର ସ୍ଥିତି ରକ୍ଷା ପାଇଁ ପୁଣି କଂଗ୍ରେସ ମୁହାଁ ହୋଇଥିଲେ । ଗତ ସପ୍ତାହରେ ସେମାନେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଥିଲେ । ଆଜି ତାହା ସାକାର ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଗମାଙ୍ଗ ପରିବାର ।