ଭୁବନେଶ୍ୱର: ଜମି କେଳେଙ୍କାରୀରେ ନିଜ ସଂସ୍ଥାର ସିଏଫଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହେବା ପରେ ଓଟିଭି ବାଉଳା ହୋଇଯାଇଛି । ଷଡ଼ଙ୍ଗୀଙ୍କ ପାଇଁ ଯେତିକି ଚିନ୍ତା ନାହିଁ, ଏମଡି ଜାଗୀ ପଣ୍ଡାଙ୍କ ପାଇଁ ଚିନ୍ତା ବଢ଼ିଛି । ଅପରାଧକୁ ଘଣ୍ଟ ଘୋଡାଇ ମୁଖ୍ୟ ଖଳନାୟକଙ୍କୁ ସୁରକ୍ଷା ଦେବା ଚାଲ୍ ରେ ମିଡ଼ିଆକୁ ଢ଼ାଲ୍ କରାଯାଇଛି । ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଆଖ୍ୟା ଦିଆଯାଇ ବିରୋଧୀ ଦଳର ସମବେଦନା ଗୋଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ପଣ୍ଡା କମ୍ପାନୀର ସୁରକ୍ଷା ପାଇଁ ଆଗକୁ ଆସିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କ୍ରାଇବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସରକାରଙ୍କ ଏହା ଅହଂକାର ବୋଲି ସେ କହିଛନ୍ତି । ଓଟିଭିକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି ବୋଲି ସେ ଓଟିଭିରେ ବାଇଟ୍ ଦେଇଛନ୍ତି । ଏହା ସରକାରଙ୍କ ବିନାଶ କାଳେ ବିରୀତ ବୁଦ୍ଧି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ମଧ୍ୟ ପଣ୍ଡା କମ୍ପାନୀର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ।
ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁରେଶ ରାଉତରାୟ ଓ ସୁଦର୍ଶନ ଦାସଙ୍କ ଟିଭି ପ୍ରତିକ୍ରିୟାରୁ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ । ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଓଟିଭିରେ ବାଇଟ୍ ଦେଇଥିଲା ବେଳେ ଦଳିତଙ୍କ ଜମିକୁ ହଡ଼ପ କରିଥିବା ବ୍ୟକ୍ତି ଯିଏ ବି ହୁଅନ୍ତୁ ନା କାହିଁକି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ନନ୍ଦିଘୋଷ ଟିଭିକୁ ବାଇଟ୍ ଦେଇଛନ୍ତି ।
ବିଜେଡ଼ି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏଥିରେ ରାଜନୈତିକ ଅଭିସନ୍ଧି ନାହିଁ ଏବଂ କ୍ରାଇମବ୍ରାଞ୍ଚ ତା କାର୍ଯ୍ୟ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି । ସାରୁଅ ଜମି ଜାଲିଆତି ମାମଲାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କ ମୁଖା ଖୋଲିବା ଦରକାର ବୋଲି ଅତନୁ କହିଛନ୍ତି ।
ସୂଚନାଯୋଗ୍ୟ, ଓଟିଭିର ଦୁଇ କର୍ମଚାରୀ ଓ ଦୁଇ ସୁରକ୍ଷା କର୍ମୀ ଅଭିଯୁକ୍ତ ଥିବା ଭୁବନେଶ୍ୱରରେ ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଦୁଇମାସ ପୂରିଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା ବିରୋଧରେ ବିରୋଧୀ ଦଳର ସ୍ୱର ଉଠିନାହିଁ । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଟି ଖୋଲିନାହିଁ ।
ଲୋକସଭାରେ ଓଡ଼ିଶାରେ ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିବା ଅପରାଜିତା ନିଜ ନିର୍ବାଚନମଣ୍ଡଳୀରେ ଗଣଦୁଷ୍କର୍ମର ଶିକାର ନାବାଳିକା ପାଇଁ ନ୍ୟାୟଭିକ୍ଷା କରିନାହାନ୍ତି । ରାଜ୍ୟ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏଯାଏଁ ପାଟି ଖୋଲିନାହାନ୍ତି । ମାତ୍ର ସାରୁଅ ଜମି ଦୁର୍ନୀତି ଓ ଦଳିତଙ୍କ ଜମି ହଡ଼ପ ମାମଲାରେ ଓଟିଭି ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିବା ଚର୍ଚ୍ଚାର ବିଷୟ ହୋଇଛି ।