ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଆଦି ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।
ଶ୍ରୀ ବେହେରା କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟପ୍ରତି ମୁଁ ଆକୃଷ୍ଟ ହୋଇଛି । ମୁଁ ଗୋଟେ ଛୋଟିଆ ଲୋକ । କେନ୍ଦ୍ରାପଡ଼ାର ଉନ୍ନତି ମୋର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ ଓ ବିଜେଡି କାର୍ଯ୍ୟଧାରାରେ ସାମିଲ ହୋଇ କେନ୍ଦ୍ରାପଡ଼ା ବିକାଶକୁ ଅଧିକ ଗୁରୁତ୍ୱ ଦେବା ମୋ ପାଇଁ ବଡ଼ ପ୍ରାଥମିକତା । ଏଥିପାଇଁ ମୁଁ ଗୁଣ୍ଡୁଚି ମୂଷା ଭୂମିକା ତୁଲାଇପାରିଲେ ବି ଆନନ୍ଦିତ ହେବି ।’
ସୂଚନାଯୋଗ୍ୟ, କଂଗ୍ରେସର ଏହି ପୂର୍ବତନ ବରିଷ୍ଠ ନେତା ଗତ ୨ ତାରିଖରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ ଶ୍ରୀ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ଆଉ ନିର୍ବାଚନରେ ହାରିବାକୁ ଚାହୁଁନାହାନ୍ତି । କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ । କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ କରିବାକୁ ହେଲେ କ୍ଷମତା ଦରକାର । କେଉଁ ଦଳରେ ଯୋଗଦେବେ ଶୀଘ୍ର ଜଣାଇବେ ବୋଲି କହିଥିଲେ ।
୧୯୮୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଗଣେଶ୍ୱର ପ୍ରଥମ ଥର ବିଧାୟକ ହୋଇଥିଲେ । ୧୯୯୫ ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣିଥରେ ବିଧାୟକ ହୋଇ ଜାନକୀ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ । ତତ୍କାଳୀନ ଜନତା ଦଳର ପ୍ରାର୍ଥୀ ସିପ୍ରା ମଲ୍ଲିକଙ୍କୁ ସେ ଏହି ନିର୍ବାଚନରେ ପରାସ୍ତ କରିଥିଲେ । ଏହାପରେ କିନ୍ତୁ ସବୁ ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ୨୦୦୦ ଏବଂ ୨୦୦୪ ରେ ସେ ପଟ୍ଟାମୁଣ୍ଡାଇରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲା ବେଳେ ପରବର୍ତ୍ତୀ ୩ ଟି ଯାକ ନିବାଚନରେ ସେ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସେ କାର୍ଯ୍ୟ କରିଥିଲେ ।