ଭୁବନେଶ୍ୱର: ଦେଶର ଯୁବଶକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେଷ୍ଟା ଜାରି ରଖିଛନ୍ତି । କିନ୍ତୁ ଡିଜିଟାଲ୍ ଯୁଗରେ ଦେଶ ବାହାରୁ ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି । ସୋସିଆଲ୍ ମିଡିଆର ଅପବ୍ୟବହାର ଓ ନିଶାଦ୍ରବ୍ୟର କୁପ୍ରଭାବ ଯୁବକଙ୍କୁ ପଥଭ୍ରଷ୍ଟ କରୁଛି । ଆଜିର ଯୁବବର୍ଗ ବାହ୍ୟଶକ୍ତିରୁ ଦୂରେଇ ରହିବା ଦରକାର । ସେମାନଙ୍କ ମାୟାଜାଲେରେ ନପଡ଼ି ଦେଶଭକ୍ତିକୁ ପ୍ରଥମ ସ୍ଥାନ ଦେବାକୁ ରାଜ୍ୟର ‘ଜେନ୍-ଜି’ ଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ପବିତ୍ର କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ଏହି ପବିତ୍ର ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ – ୨୦୪୭’ ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ହେବ । ରାଜ୍ୟର ଚାଷୀ, ଶ୍ରମିକ, ଯୁବକ ଓ ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ଯୋଗୁଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ। ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।
ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଦଯାତ୍ରା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଏନ.ସି.ସି. (NCC) ଏବଂ ଏନ.ଏସ.ଏସ. (NSS) ର ସ୍ୱେଚ୍ଛାସେବୀମାନେ ହାତରେ ତ୍ରିରଙ୍ଗା ଧରି ଶୃଙ୍ଖଳିତ ଭାବେ ପଦଯାତ୍ରା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ନିଜର ପାରମ୍ପରିକ ଲୋକନୃତ୍ୟ ଓ କଳା ପ୍ରଦର୍ଶନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଶିଷ୍ଟ କ୍ରୀଡ଼ାବିତ୍ ଏବଂ ହଜାର ହଜାର ଛାତ୍ରଛାତ୍ରୀ “ବନ୍ଦେ ମାତରମ୍” ଓ “ଭାରତ ମାତା କି ଜୟ” ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ମଞ୍ଚାସୀନ ଥିଲେ। କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି , ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଜେପି ଓଡ଼ିଶାର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଏବଂ ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶାର ଗୌରବ ତଥା ଆନ୍ତର୍ଜାତୀୟ ସ୍ତରର ଅନ୍ତରଙ୍ଗ କ୍ରୀଡ଼ାବିତ୍ ପ୍ରମୋଦ ଭଗତ, ଅନୁପମା ସ୍ୱାଇଁ, ସୁନୀଲ ପ୍ରଧାନ, ରବି କୁମାର ଏବଂ କମଳା କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବସମାଜକୁ ଉତ୍ସାହିତ କରିଥିଲେ ।
ଜେନ୍-ଜି ଆମ ଦେଶର ଭବିଷ୍ୟତ: ସୁଜାତା
ଜେନ୍-ଜିଙ୍କୁ ଦେଶର ଭବିଷ୍ୟତ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ । ଆଜି ଶଙ୍ଖଭବନଠାରେ ଆୟୋଜିତ ବିଶ୍ୱ ଆଦିମ ଜନଜାତି ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଛନ୍ତି, ଜେନ୍-ଜିଙ୍କ ପାଇଁ ଆମେ ଗର୍ବିତ । ସେମାନେ ଆମ ଦେଶ ଓ ରାଜ୍ୟକୁ ଆଗକୁ ନେବେ । ସବୁବେଳେ ଆମେ ତାଙ୍କ ସାଙ୍ଗରେ ଓ ତାଙ୍କ ପଛରେ ରହିବା ଦରକାର ବୋଲି ସୁଜାତା କହିଛନ୍ତି ।