ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର କୁନିଝିଅ ପରୀକୁ କିଏ ମାରିଛି ତାକୁ ଖୋଜି ବାହାର କରିବା ଦାୟିତ୍ୱ ଏବେ କ୍ରାଇମବ୍ରାଞ୍ଚ ଏସଆଇଟି ହାତରେ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏହାର ଛାନଭିନ୍ ଜାରି ରଖିଛନ୍ତି । ପରୀର ବାପାମାଆଙ୍କୁ ଭେଟି ସମସ୍ତ ବିବରଣୀ ସଂଗ୍ରହ କରିଛନ୍ତି । ଗାଁର ଶହେରୁ ଉଦ୍ଧ୍ୱର୍ ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚରାଉଚୁରା କରିସାରିଲେଣି । ଗତକାଲି ଓ ଆଜି ଶ୍ରୀ ବୋଥ୍ରା ସନ୍ଦିଗ୍ଧ ଅଭିଯୁକ୍ତ ବାବୁଲି ନାୟକ ଓ ତାଙ୍କ ଡ୍ରାଇଭରଙ୍କୁ ପଚରାଉଚୁରା କରିଛନ୍ତି ।
ତଦନ୍ତର ଅଗ୍ରଗତି ନେଇ ଗଣମାଧ୍ୟମ ପ୍ରଶ୍ନରେ ବୋଥ୍ରା କହିଛନ୍ତି, ଏସଆଇଟି ତଦନ୍ତର ଆଜିକୁ ୫ ଦିନ ହୋଇଛି । ମୋ ଉପରେ ସମସ୍ତଙ୍କର ଭରସା ଅଛି । ଆମ ଟିମ୍ ଆଗକୁ ବଢ଼ୁଛି । ଦୁଇ ସପ୍ତାହ ସମୟ ତ ଦିଅନ୍ତୁ । ଅତଏବ ପରୀକୁ କିଏ ଏବଂ କାହିଁକି ମାରିଛି ତାହାର ସବୁ ତଥ୍ୟ ପ୍ରମାଣ ଦୁଇ ସପ୍ତାହ ଭିତରେ ବାହାର କରିଦେବେ, ସେହି ଆତ୍ମବିଶ୍ୱାସ ଦେଖାଇଛନ୍ତି ବୋଥ୍ରା ।
ତେବେ ଏସଆଇଟିର ତଦନ୍ତର ନିଷ୍କର୍ସକୁ ଅପେକ୍ଷା କରିନାହାନ୍ତି ବିରୋଧୀ ଦଳ । ପରୀ ହତ୍ୟା ପଛରେ ସ୍ଥାନୀୟ ବିଜେଡ଼ି ନେତା ବାବୁଲି ନାୟକଙ୍କ ସଂପୃକ୍ତି ଅଛି ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେମାନଙ୍କର ଅଭିଯୋଗ । ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ସେମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଡାକରାରେ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଦଳର ଜାତୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପରୀ ମୃତ୍ୟୁ ମାମଲାକୁ ଦିଲ୍ଲୀ ନେଇଛନ୍ତି । ବିଧାନସଭା ସରିବା ପରଦିନ ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଧାୟକ ଦଳ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଥିବା ବେଳେ ଆଜି ସମ୍ବିତଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ପରୀ ଗାଁକୁ ଯାଇ ପରୀ ବାପାମାଆଙ୍କୁ ଭେଟିଥିଲେ । ମାମଲା ସିବିଆଇକୁ ଦେବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଦୋହରାଇଛନ୍ତି ସମ୍ବିତ ।
ସେହିଭଳି କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଥିଲେ । ପରୀ ହତ୍ୟାକାରୀକୁ ଖୋଜି ବାହାର କରି ଫାଶୀ ଦେବା ପାଇଁ ଡ. ଚେଲ୍ଲାକୁମାର ଦାବି କରିଛନ୍ତି ।
ତେବେ ପରୀ ମୃତ୍ୟୁକୁ ନେଇ ବିଜେପି ଓ କଂଗ୍ରେସର ହୀନ ରାଜନୀତିକୁ ସମାଲୋଚନା କରିଛି ବିଜେଡ଼ି । ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସମ୍ବିତ ପାତ୍ର ଓ ଚେଲ୍ଲାକୁମାର କେଉଁଠି ଥିଲେ ବୋଲି ବିଜେଡ଼ି ମୁଖପାତ୍ର ଡ. ଲେଲିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି । ପରୀକୁ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର । ଏସଆଇଟି ତଦନ୍ତ ଚାଲିଛି, ପରୀକୁ ନିଶ୍ଚିତ ନ୍ୟାୟ ମିଳିବ । ପରୀକୁ ରାଜନୀତି କୁଟାଖିଅ କରା ନଯାଉ । ଏହି ପ୍ରସଙ୍ଗରେ ରାଜନୈତିକ ଦଳ ରାଜନୀତି ନ କରନ୍ତୁ ବୋଲି ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ସୂଚନାଥାଉକି, ପରୀ ଅପହରଣ ଓ ମୃତ୍ୟୁକୁ ୪ ମାସ ବିତିଯାଇଥିଲେ ମଧ୍ୟ ଅପରାଧୀକୁ ଧରିବାରେ ନୟାଗଡ଼ ପୁଲିସ ବିଫଳ ହୋଇଛି । ଇତିମଧ୍ୟରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଏନପିସିଆର) ଏହି ମାମଲାକୁ ଗମ୍ଭୀରତା ସହ ନେଇଛନ୍ତି । ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ଡିସେମ୍ବର ୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆୟୋଗ ଅଧ୍ୟକ୍ଷ ପ୍ରୟଙ୍କ କାନୁନଗୋ ଗତକାଲି ଟୁଇଟ୍ କରି ସୂଚନା ଦେଇଛନ୍ତି ।