ଭୁବନେଶ୍ୱର: ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି । ତିନିଦିନ ଧରି ବାପ-ପୁଅଙ୍କୁ ଘାଣ୍ଟିବା ପରେ ଆଜି ଏସଆଇଟି ଉଭୟଙ୍କୁ କୋର୍ଟରେ ହାଜର କରିଥିଲା । ସେଠାରୁ ଝାରପଡ଼ା ଜେଲ୍ ଯାଇଛନ୍ତି ବାପ-ପୁଅ । ଏସଆଇଟି ଜେରାରେ ସବୁ ସତ ମାନିଯାଇଥିବା ପାଠକ ବାପ-ପୁଅଙ୍କ ବାହାରେ ମୁହଁଫୁଟାଣି କିନ୍ତୁ ଭାଙ୍ଗିନି । ଜେଲ୍ ଯିବା ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ନିଜକୁ ସତୀ ବୋଲି ଦାବି କରିଛନ୍ତି । କୁଆଡ଼େ ସ୍ୱଚ୍ଛତାର ସବୁ ପ୍ରମାଣ ପାଖରେ ରଖିଛନ୍ତି । ସମୟ ଆସିଲେ କହିବେ ।
ତେବେ ଜେରା ବେଳେ ପାଠକ ବାପ-ପୁଅଙ୍କ ପାଖରୁ ଆହୁରି ଅନେକ ଗୁମର ଖୋଲିଛନ୍ତି ଏସଆଇଟି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଡିପୋଜିଟ୍, ଆକାଶ ବିବାହ ଖର୍ଚ୍ଚ ବରାଦର ତାଲିକା ମିଳିଛି । ଗିରଫ ପୂର୍ବରୁ ଅଭୟ ପାଠକଙ୍କ ଆକାଉଣ୍ଟରେ ୮୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ପୁଅ ଆକାଶର ବାହାଘର ପାଇଁ ୧୦ କୋଟି ଟଙ୍କାର ବଜେଟ୍ ହୋଇଥିଲା । ବାପା ଆକାଉଣ୍ଟରୁ ପୁଅ ଆକାଉଣ୍ଟକୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନସଫର୍ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବନୀକରଣ ଦାୟିତ୍ୱରେ ଥିବା ଏସସିସିସିଏଫ ଅଭୟ ଠାକୁରଙ୍କ ୩ ବର୍ଷର କାର୍ଯ୍ୟକାଳରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ସେଥିରୁ କେତେ ଟଙ୍କା ଚଳୁ ହୋଇଛି ତାହାର ଛାନଭିନ୍ ଆରମ୍ଭ କରିଛନ୍ତି ଏସଆଇଟି । ସ୍କାନରରେ ଡିଏଫଓ, ଏସିଏଫ ଏବଂ ରେଂଜର ଆସିଛନ୍ତି । ତେବେ ଜଙ୍ଗଲ ମନ୍ତ୍ରୀଙ୍କ ଜ୍ଞାତସାରରେ ଏହା ଥିଲା ନା ନାହିଁ ତାହା ଏବେ ବଡ଼ ପ୍ରଶ୍ନ । ତଦନ୍ତ ପରିସରକୁ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ପୁଅ ଆକାଶ ପାଠକ ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଇ ଅନେକ ଲୋକଙ୍କୁ ଚୂନ ମାରି ବିପୁଳ ଟଙ୍କା ଠକିଥିବା ଜେରା ବେଳେ ଜଣାପଡ଼ିଛି । ଯେଉଁଥିରେ ତାଙ୍କର ଭାବୀ ଶ୍ୱଶୁର ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଅଛି । ଗତକାଲି ଜେରାରେ ଆକାଶ ସବୁ ସତ ମାନିଯାଇଥିଲେ ମଧ୍ୟ ଆଜି ଜେଲ୍ ଯିବାବେଳେ ପୂର୍ବ ଫୁଟାଣି ଦେଖାଇଥିଲେ ।
ବାପା ଅଭୟ ପାଠକ ମଧ୍ୟ ପୁଅ ଟାଟାରେ ଚାକିରି କରିଥିବା ସତ ବୋଲି ଦମ୍ଭ ଦେଖାଇଥିଲେ । ତେବେ ଗଣମାଧ୍ୟମରେ ସେମାନଙ୍କ ଗାଲୁଆମୀ ଉପରେ ଚଟକଣି ଲଗାଇଛନ୍ତି ଟାଟା କର୍ତ୍ତୃପକ୍ଷ । ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି ବୋଲି ଆଜି ଟାଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଟାଟା କମ୍ପାନୀର କର୍ପୋରେଟ୍ କମ୍ୟୁନିକେସନ୍ ମୁଖ୍ୟ ସୁଦୀପ ଭାଲ୍ଲା ଏହା ସ୍ପଷ୍ଟ କରିଦେଇଛନ୍ତି ।
ସେପଟେ ଭିଜିଲାନସ୍ ର ଏକ ଟିମ୍ ଆଜି ବିହାରର ପାଟଣା ଯାଇ ଅଭୟ ପାଠକଙ୍କ ଘର ଓ ଜ୍ୱାଇଁଙ୍କର ଘର ରେଡ୍ କରିଛନ୍ତି । ପୁନେରେ ମଧ୍ୟ ଏସଆଇଟିର ଏକ ଟିମ୍ ଆକାଶର ନକଲି ଅଫିସ ଚଢ଼ାଉ କରି ତାଙ୍କର ପିଏ ଭାବେ କାର୍ଯ୍ୟ କରୁଥିବା ଡେଭିଡ୍ ପିଟର୍ ଙ୍କୁ ଉଠାଇ ଆଣିଛନ୍ତି । ତାଙ୍କୁ ଭୁବନେଶ୍ୱରରେ ଜେରା ଆରମ୍ଭ କରାଯାଇଛି । ଆକାଶର ନକଲି କାରସାଦି ଉପରେ ତାଙ୍କଠାରୁ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି ।