ଭୁବନେଶ୍ୱର: ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ନଭେମ୍ବର ୧ ତାରିଖରେ ଶପଥ ନେଇଥିଲେ । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରଠୁ ଇତିମଧ୍ୟରେ ସେ ଅଧା ରାଜ୍ୟ ବୁଲିସାରିଲେଣି । ସବୁଠି ସଭାସମିତିରେ ଭାଷଣ ଦେଉଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ସରକାରୀସ୍ତରରେ ତ୍ରୁଟି ବିଚୁ୍ୟତି ଜାଣିବାକୁ ଆଗ୍ରହ ରଖୁଛନ୍ତି । ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରୁଛନ୍ତି ଏବଂ ଆବଶ୍ୟକସ୍ଥଳେ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ବାଟରେ ଘାଟରେ କାହାରି ଅସୁବିଧା ଦେଖିଲେ ହାତଖୋଲି ସାହାଯ୍ୟ ବି କରୁଛନ୍ତି ।
ବିଭିନ୍ନ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହ, ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର, ଚାଷୀଙ୍କ ଧାନ ସଂଗ୍ରହ କେନ୍ଦ୍ର ବୁଲି ଅନୁଧ୍ୟାନ କରୁଛନ୍ତି ରାଜ୍ୟପାଳ । ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସଭା କରୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡିଠାରେ ରାଜ୍ୟପାଳ ଚାଷୀମାନଙ୍କର ଏକ ସଭାରେ ଯୋଗଦେଇଥିଲେ । ମାତ୍ର ରାଜ୍ୟପାଳ ମଞ୍ଚରେ ନ ବସି ମଞ୍ଚ ତଳେ ଥିବା ଚାଷୀଙ୍କ ମେଳକୁ ଯାଇଥିଲେ ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସିଧା ପଚାରି ବୁଝିଥିଲେ ।
ତେବେ ରାଜ୍ୟପାଳଙ୍କ ଗସ୍ତର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି- ସବୁଜାଗାରେ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ହର ଘର ଜଲ୍ ଯୋଜନା, ମହିଳାମାନଙ୍କ ପାଇଁ ରାଷ୍ଟ୍ରୀୟ ଆଜୀବିକା ମିଶନରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଜନା, ଆଦିବାସୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ଯୋଜନା, ବିଶ୍ୱକର୍ମା ଯୋଜନାରେ କାରିଗରମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ପ୍ରଧାନମନ୍ତ୍ରୀଙ୍କ ଭୋକାଲ ଫର ଲୋକାଲ ସଂକଳ୍ପ, ଆତ୍ମନିର୍ଭର ଭାରତ, ନୂଆ ଶିକ୍ଷାନୀତି ଇତ୍ୟାଦିକୁ ପ୍ରାଞ୍ଜଳ ଭାବେ ବୁଝାଉଛନ୍ତି । ଏହି ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶାସନଠାରୁ ପଚାରି ବୁଝୁଛନ୍ତି ।
ଗଜପତି ଜିଲ୍ଲାର ପଦ୍ମପୁର ଗସ୍ତବେଳେ ରାଜ୍ୟପାଳ ଗାଁ ଲୋକଙ୍କ ସହ ଏକ ସଭା କରିଥିଲେ । ସେଠାରେ ରାଜ୍ୟପାଳଙ୍କ ଭାଷଣର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓଟି ଏଠାରେ ଦେଖିନିଅନ୍ତୁ ।
ରାଜ୍ୟପାଳଙ୍କ ଏଭଳି କାର୍ଯ୍ୟରେ ରାଜନୀତିର ସ୍ପଷ୍ଟ ଛାପ ଥିବା ସବୁଆଡ଼େ ଚର୍ଚ୍ଚା ହେଉଛି । ଅନେକ ତାଙ୍କୁ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ ଆଖ୍ୟାୟିତ କରୁଛନ୍ତି । ବିଜେପିର ପ୍ରଚାର ଦାୟିତ୍ୱ ଧରି ସେ ଓଡ଼ିଶା ଆସିଥିବା କଟାକ୍ଷ କରୁଛନ୍ତି । ରାଜ୍ୟରେ ବିଜେପି ସଂଗଠନ ଶୋଇଥିବା ବେଳେ ରାଜ୍ୟପାଳଙ୍କ ଜିଲ୍ଲାଗସ୍ତ ବିଜେପି ପାଇଁ କୁଆଡ଼େ ମହୌଷଧିର କାମ କରୁଛି । ଏହା ବିଜେଡି ପାଇଁ ବିପଦ ଘଣ୍ଟି ବୋଲି ସୋସିଆଲ୍ ମିଡିଆରେ ଅନେକ ମତାମତ ରଖିଛନ୍ତି ।
ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟପାଳ ରଘୁବରଙ୍କ ବିଜେପି ଅବତାରକୁ ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ବିଜେଡି କିମ୍ବା କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରତିକ୍ରିୟା ଆସିନାହିଁ । ଉଭୟ ଦଳର ନେତାମାନେ କିନ୍ତୁ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ମୋଦୀ ସରକାରଙ୍କ ଏଜେଣ୍ଟ ବୋଲି ରାଜ୍ୟପାଳ ରଘୁବର ଦାସ ଖୁବ୍ କମ ଦିନରେ ପ୍ରମାଣ କରିସାରିଥିବା ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି । ସେହିଭଳି ନବୀନ ସରକାରଙ୍କୁ ହଟାଇବାକୁ ବିଜେପି ରଣକୌଶଳର ଏହା ଏକ ଅଂଶବିଶେଷ ବୋଲି ଜଣେ କଂଗ୍ରେସ ବିଧାୟକ ମନ୍ତବ୍ୟ ଦେଇଛନ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟପାଳ ଜିଲ୍ଲା ଗସ୍ତ କରିବାରେ ଆପତ୍ତି ନାହିଁ । ମାତ୍ର ସେଥିରୁ ରାଜନୀତିର ବାସ୍ନା ବାରି ହୋଇଯାଉଛି । ଜଣେ ରାଜ୍ୟପାଳ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ କେନ୍ଦ୍ରୀୟ ଯୋଜନାର ପ୍ରଚାର କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ କାର୍ଯ୍ୟ ବୋଲି ସେମାନଙ୍କର ମତ ।
ନୂଆ ରାଜ୍ୟପାଳଙ୍କ କାର୍ଯ୍ୟତରିକାକୁ ନେଇ ପ୍ରଥମରୁ ଗୁଞ୍ଜରଣ ଖେଳିଥିବା ବେଳେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ଅଧିକାରୀ ତଥା ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ ଶତପଥୀଙ୍କୁ ଇତିମଧ୍ୟରେ ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ତାଙ୍କ ସହ ପ୍ରଫେସର ଶୁକ୍ଲା ମହାନ୍ତି ଓ ସୁବ୍ରତ ମହାନ୍ତି ରାଜ୍ୟପାଳଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଫେସର ମହାନ୍ତିଙ୍କୁ ଶିକ୍ଷା ସମ୍ପର୍କିତ ବ୍ୟାପାରର ଦାୟିତ୍ୱ ଦିଆଯାଇଥିବା ବେଳେ ଏବଂ ଶ୍ରୀ ମହାନ୍ତିଙ୍କୁ ମିଡିଆ ଓ ଆଇଟି ବ୍ୟାପାର ଦିଆଯାଇଛି ।
ସୂଚନାଥାଉକି, ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର ଦାସ । ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ବେଳକୁ ସେ ଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଝାଡ଼ଖଣ୍ଡ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି । ୨୦୦୪ରେ ସେ ଥିଲେ ଝାଡ଼ଖଣ୍ଡ ବିଜେପିର ସଭାପତି । ତାଙ୍କ ନେତୃତ୍ୱରେ ବିଜେପି ୩୦ଟି ବିଧାନସଭା ଆସନରେ ବିଜୟଲାଭ କରିଥିଲା । ୨୦୧୪ରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ ରଘୁବର । ତେବେ ୨୦୧୯ ନିର୍ବାଚନରେ ତାଙ୍କର ନେତୃତ୍ୱ ଝାଡ଼ଖଣ୍ଡରେ ବିଜେପିକୁ ବିପର୍ଯ୍ୟୟ ଆଣିଥିଲା । ନିଜର ଜନ୍ମସ୍ଥାନ ଜାମସେଦପୁର(ପୂର୍ବ) ଆସନରେ ବିଜେପି ବିଦ୍ରୋହୀ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ସେ ୧୫ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ ।







