ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ଆସନ୍ତାକାଲି ସଂଧ୍ୟାରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହାର ସବିଶେଷ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି ରାତି ସୁଦ୍ଧା ଶେଷ ହେବ । ଆସନ୍ତାକାଲି ସକାଳେ ଶ୍ରୀମନ୍ଦିର ପ୍ରଶାସନକୁ ଏହା ହସ୍ତାନ୍ତର ହେବ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର ଆଜି ଶେଷ ପର୍ଯ୍ୟାୟ କାର୍ଯ୍ୟର ତଦାରଖ କରିଥିଲେ ।
ପ୍ରତିଷ୍ଠା କାର୍ଯ୍ୟସୂଚୀ
୧୨ ତାରିଖ:
-ସଂଧ୍ୟା ୫ଟାରୁ ୬ଟା ମଧ୍ୟରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟ ବରଣ
-ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ପ୍ରତିଷ୍ଠା
୧୩ ତାରିଖ:
ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ
୧୪ ତାରିଖ:
ଅଙ୍କୁରପୂଜନ, ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ, ତୋରଣ ସ୍ଥାପନ
୧୫ ତାରିଖ:
-ସକାଳ ୭.୩୦ରେ ଅଖଣ୍ଡଦୀପ ସ୍ଥାପନ,
-ସଂଧ୍ୟା ୬ଟା ଭିତରେ ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାରାୟଣ ଏବଂ ଅନ୍ତପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ହବନ, ଆରତୀ ଓ ପୁଷ୍ପାଞ୍ଜଳି
୧୬ ତାରିଖ:
ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ
୧୭ ତାରିଖ:
-ସକାଳ ୭ଟାରୁ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ ।
-ଅପରାହ୍ନ ୧.୧୫ରୁ ୧.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ
-୧.୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ଯଜ୍ଞ ପୂର୍ଣ୍ଣାହୂତି
-ଏହାପରେ ନାମ ସଂକୀର୍ତ୍ତନ ଓ ଶୋଭାଯାତ୍ରା
-ଶେଷରେ ସମ୍ବର୍ଦ୍ଧନା ଉତ୍ସବ
-ଅପରାହ୍ନ ୩ଟା: ପରିକ୍ରମା ମାର୍ଗକୁ ଶ୍ରଦ୍ଧାଳୁଙ୍କୁ ଅନୁମତି