ଭୁବନେଶ୍ୱର: ରାଜ୍ୟପାଳଙ୍କ ପୁଅ ଜଣେ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭାରେ ପୁଣି ସରକାରଙ୍କୁ ଘେରିଛି ବିଜେଡି । ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ଛାତ୍ର ସଂସଦ ନିର୍ବାଚନକୁ ପ୍ରସଙ୍ଗ କରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲା ବେଳେ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇ ପ୍ରବଳ ପାଟିତୁଣ୍ଡ କରିଥିଲେ । ଜିଲ୍ଲାପାଳଙ୍କ ରିପୋର୍ଟ କୁଆଡ଼େ ଗଲା ଏବଂ ଦୋଷୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଉଭୟ କଂଗ୍ରେସ ଓ ବିଜେଡି ସଭ୍ୟଙ୍କ ହୋହଲ୍ଲା ଯୋଗୁଁ ବିଧାନସଭାର ପ୍ରଥମାର୍ଦ୍ଧ ଚାଲିପାରି ନ ଥିଲା ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଶୋକପ୍ରସ୍ତାବ ଆଗତରୁ । ଏହା ଉପରେ ୧୦ ମିନିଟ୍ ଆଲୋଚନା ପରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରଶ୍ନକାଳ ଆରମ୍ଭ କରିଥିଲେ । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଦଳର ଅନ୍ୟ ବିଧାୟକମାନେ କଲେଜ ଛାତ୍ର ସଂସଦ ନିର୍ବାଚନ ଦାବିରେ ହୋ ହଲ୍ଲା କରିଥିଲେ । ଚଳିତବର୍ଷଠାରୁ କାହିଁକି ନିର୍ବାଚନ କରାଯିବ ନାହିଁ ବୋଲି ପ୍ରଶ୍ନ କରି ଗୃହର ମଧ୍ୟ ଭାଗରେ ନାରାବାଜି କରିଥିଲେ ।
ଅନ୍ୟପକ୍ଷରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ବିଜେଡିର ଅନ୍ୟ ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ଛିଡ଼ା ହୋଇ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗ ଉଠାଇ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କଠାରୁ ରୁଲିଂ ଦାବି କରିଥିଲେ ।
ଏଭଳି ଅବସ୍ଥାରେ ମାତ୍ର ୧ ମିନିଟ୍ ପରେ ଗୃହକୁ ଘଣ୍ଟାଏ କାଳ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରବର୍ତ୍ତୀ ସମୟରେ ଗୃହରେ ସମାନ ସ୍ଥିତି ଲାଗି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗତଥର ବିଧାନସଭାକୁ ଆରମ୍ଭରୁ ଅଚଳ କରିଦେଇଥିଲେ । ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ସରକାରଙ୍କ ଆଭିମୁଖ୍ୟ ରଖିଥିଲେ । କହିଥିଲେ, ଏଏସଓଙ୍କୁ ରାଜ୍ୟପାଳ ପୁଅ ମାଡ଼ ମାରିଥିବା ଅଭିଯୋଗ ଉପରେ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ଏହି ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ତେଣିକି ଦୋଷୀ ଯିଏ ହୁଅନ୍ତୁ ନା କାହିଁକି । ଖୁବ୍ ସ୍ପଷ୍ଟ ଭାବେ ଏହି ବୟାନ ଦେଇଥିଲେ ଆଇନମନ୍ତ୍ରୀ । ମାତ୍ର ଆଇନମନ୍ତ୍ରୀଙ୍କର ବୟାନକୁ ମାସେ ପୂରିବାକୁ ବସିଲାଣି, କିନ୍ତୁ ଜିଲ୍ଲାପାଳଙ୍କ ରିପୋର୍ଟ ଆସିନାହିଁ କି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।
ଓଡ଼ିଆ ଅସ୍ମିତାକୁ ଟ୍ରମ୍ପ କାର୍ଡ କରିଥିବା ବିଜେପି ସରକାରର ଏହି ଆଭିମୁଖ୍ୟ ଏବେ ସମସ୍ତଙ୍କୁ ଆଘାତ ଦେଇଛି । ଏ ସମ୍ପର୍କରେ ଆମେ ଲଗାତର ଖବର କରି ଆସୁଛୁ ।