ପୁରୀ: ଗତବର୍ଷ କୋଭିଡ୍ କଟକଣାରେ ଯେଭଳି ପୁରୀ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ଏବର୍ଷ ମଧ୍ୟ ସେଭଳି ହେବ । ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ । ଅନ୍ୟପକ୍ଷରେ ବଡ଼ଦାଣ୍ଡ ଛାତ ଉପରେ କିମ୍ବା ଘର ବାଲକୋନିରୁ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗୁ କରାଯାଇଛି । ରଥଯାତ୍ରା ବେଳେ ଶ୍ରଦ୍ଧାଳୁମାନେ ନିଜ ଘର ଭିତରେ ରହିବେ । ସହରରେ ୧୪୪ ଧାରା ଜାରି ସହ କୋଭିଡ୍ କଟକଣା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଆଜି ଅପରାହ୍ନରେ ଅନୁଷ୍ଠିତ ଛତିଶା ନିଯୋଗର ବୈଠକରେ ରଥଯାତ୍ରା ନୀତିକାନ୍ତି ଓ ଗାଇଡଲାଇନ୍ ଚୂଡ଼ାନ୍ତ ହୋଇଛି । ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଥିଲେ । ଗତବର୍ଷ ଭଳି ଚଳିତ ବର୍ଷର ରଥଯାତ୍ରା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । କେବଳ ସେବାୟତମାନେ ରଥ ଟାଣିବେ । ଏଥିପାଇଁ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀ ରଥ ଟାଣିବେ ନାହିଁ । ରଥଟଣା ବେଳେ ସେବାୟତମାନେ ମୋବାଇଲ, କ୍ୟାମେରା ବ୍ୟବହାର କରିପାରିବେ ନାହିଁ । ରଥଯାତ୍ରା ପୂର୍ବ ରାତିରୁ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫୁ୍ୟ ଲାଗିବ ।
ପ୍ରବଳ ଖରା ଦୃଷ୍ଟିରୁ ସେବାୟତମାନଙ୍କ ପାଇଁ ରେଷ୍ଟ୍ ସେଡ୍ ତିଆରି କରାଯିବ । ସମସ୍ତଙ୍କୁ ମାସ୍କ, ସାନିଟାଇଜର ଓ ଗାମୁଛା ଯୋଗାଇ ଦିଆଯିବ । ପୂର୍ବବର୍ଷ ଭଳି କରୋନା ଗାଇଡଲାଇନ୍ ମଧ୍ୟରେ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ସମସ୍ତ ବନେ୍ଦାବସ୍ତ କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
ପୁଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୁରୀ ସହରକୁ ୧୨ ଟି ଜୋନ୍ ଏବଂ ବଡ଼ଦାଣ୍ଡକୁ ୩ ଟି ଜୋନ୍ ରେ ବିଭକ୍ତ କରାଯାଇ ସମୁଦାୟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ରଥ ପୂର୍ବରୁ ପୁରୀର ସବୁ ପ୍ରବେଶ ପଥ ସିଲ୍ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।