ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତର ଅଗ୍ରଗତି, କାର୍ଯ୍ୟାନୁଷ୍ଠାନର ବିସ୍ତୃତ ରିପୋର୍ଟ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୩୦ ଅର୍ଥାତ୍ ପଅର ଦିନ ସୁଦ୍ଧା କମିଶନରେଟ୍ ପୁଲିସ ଷ୍ଟାଟସ୍ ରିପୋର୍ଟ ଦେବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ସିବିଆଇ ତଦନ୍ତ ପାଇଁ ଭାରତ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଏହି ଆଦେଶ ଶୁଣାଇଛନ୍ତି । ଏଥିସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ କହିଛନ୍ତି । ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।
ଭୁବନେଶ୍ୱରରେ ଲକଡାଉନ୍ ସମୟରେ ଜଣେ ୧୩ ବର୍ଷର ନାବାଳିକାକୁ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇ ସୁରକ୍ଷାକର୍ମୀ, ରାଉରକେଲାର ଜଣେ ପୁଲିସ ସମେତ ୭ ଜଣ ଲଗାତର ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ସେତେବେଳେ ଓଟିଭିରେ ରିସେପସିନିଷ୍ଟ ଚାକିରି କରିଥିବା ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ସେ ଝିଅକୁ ଘରେ ଏକୁଟିଆ ଛାଡ଼ିଦେଇ ଅଫିସ୍ ଆସୁଥିଲା ବେଳେ ଏହି ଜଘନ୍ୟ ଘଟଣା ଘଟିଛି । ଏ ସମ୍ପର୍କରେ ସେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ ମଧ୍ୟ ସେ ଓଲଟି ମାମଲାକୁ ଚପାଇ ଦେବାକୁ ଚାହିଁଥିଲେ ।
ଗତ ଅଗଷ୍ଟ ୩୦ ତାରିଖରେ ପୀଡ଼ିତାଙ୍କ ମାଆ ମହିଳା ଥାନାରେ ଦେଇଥିବା ଏତଲାରେ ସିଧାସଳଖ ଅଭିଯୁକ୍ତମାନଙ୍କ ନାଁ ଲେଖିଛନ୍ତି । ନିଜେ ପୀଡ଼ିତା ମଧ୍ୟ ପୁଲିସ ଆଗରେ ବୟାନ ଦେଇଛନ୍ତି । ପୁଲିସ ଛଡ଼ା ରାଜ୍ୟ ଶିଶୁ ଅଧକାର ସୁରକ୍ଷା କମିଶନ, ରାଜ୍ୟ ମହିଳା କମିଶନଙ୍କଠାରେ ମାଆ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦୁଇ କମିଶନଙ୍କ ପକ୍ଷରୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ସମନ୍ ମଧ୍ୟ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୭ ଅଭିଯୁକ୍ତଙ୍କ ନାଁରେ ପୋକସୋ ଆକ୍ଟରେ ମାମଲା ରୁଜୁ ହେବାର ଇତିମଧ୍ୟରେ ୨୯ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏଯାବତ୍ ଅପରାଧୀଙ୍କ ପାଖ ମାଡ଼ିନାହିଁ । ଅଭିଯୁକ୍ତ ତାଲିକାରେ ଥିବା ପୁଲିସକୁ ବି ଚିହ୍ନଟ କରିନାହିଁ । ଓଟିଭି ଏମଡି ଜାଗୀ ପଣ୍ଡାଙ୍କୁ ପଚାରିବାକୁ ବି ସାହାସ କରୁନାହିଁ । ତଦନ୍ତ ଚାଲିଛି କହି ପୁଲିସ ସମୟ ଗଡାଉଥିବାରୁ ପୁଲିସର କାର୍ଯ୍ୟକଳାପକୁ ସମସ୍ତେ ସନ୍ଦେହ କରୁଛନ୍ତି ।
ପୁଲିସ ତଦନ୍ତରେ ଶିଥିଳତା ଅଭିଯୋଗ ଆଣି ଭାରତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହ ପୀଡ଼ିତାଙ୍କୁ ସୁରକ୍ଷା ଓ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ପ୍ରଥମ ଶୁଣାଣୀ ଆଜି ହୋଇଥିଲା ।