ଭୁବନେଶ୍ୱର: କାଲି ବାରିପଦା । ଆଜି ଭୁବନେଶ୍ୱର । ମାର୍ଚ୍ଚ ମାସର ସର୍ବକାଳୀନ ରେକର୍ଡ ଭାଙ୍ଗି ବିଶ୍ୱର ଉତ୍ତପ୍ତ ସହର ପାଲଟିଛନ୍ତି । ଆଜି ଭୁବନେଶ୍ୱର ପାରଦ ୪୪.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ୨୦୧୬ ମସିହା ମାର୍ଚ୍ଚ ୨୧ରେ ସହରର ତାପମାତ୍ରା ସର୍ବାଧିକ ୪୨.୨ଂ ରେକର୍ଡ କରାଯାଇଥିଲା । ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ଣପ୍ରବାହ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ୧୯ଟି ସହର ଆଜି ୪୦ଂ ରୁ ଅଧିକ ତାତିରେ ସିଝିଛି । ଆଗାମୀ ଦୁଇଦିନ ଯାଏଁ ପ୍ରଚଣ୍ଡ ତାତି ଜାରି ରହିବ । ୨୧ ଟି ଜିଲ୍ଲାରେ ସ୍ୱାଭାବିକଠାରୁ ୪ରୁ ୬ଂ ଅଧିକ ତାପମାତ୍ରା ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।
ଆଜି ୧୯ ଟି ସହରର ତାପମାତ୍ରା ୪୦ଂ ଉପରେ ଏବଂ ୧୩ ଟି ସହରର ତାପମାତ୍ରା ୪୧ଂ ଉପରେ ଥିଲା । ଗତକାଲି ବାରିପଦା ତାପମାତ୍ରା ୪୪.୬ ଥିଲା ବେଳେ ଆଜି ଥିଲା ୪୩.୬ଂ । ବାଲେଶ୍ୱର ୪୩, ଚାନ୍ଦବାଲି ୪୨.୬, ତାଳଚେର ୪୨.୫, ମାଲକାନଗିରି ୪୨, ଗଜପତି ୪୨, ବୌଦ୍ଧ ୪୨, ଅନୁଗୁଳ ୪୧.୭, ବଲାଙ୍ଗୀର ୪୧.୫, ଭବାନୀପାଟଣା ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ ୪୧.୨ ତାପମାତ୍ରା ରେକର୍ଡ କରାଯାଇଛି ।
ଆଗାମୀ ଦୁଇଦିନ ପାଇଁ ୨୧ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏପ୍ରିଲ୍ ୨ ତାରିଖରୁ ତାତି ସାମାନ୍ୟ କମିବ ଏବଂ କାଳବୈଶାଖୀ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ କହିଛି ।