ଭୁବନେଶ୍ୱର: ଉଦୁଉଦିଆ ଖରାରେ ଜଣେ ୮ ମାସର ଗର୍ଭବତୀଙ୍କୁ ତିନି କିଲୋମିଟର ବାଟ ଚଲାଇଥିବା ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କ ଅମାନବୀୟ କାର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା । ଦଣ୍ଡସ୍ୱରୂପ, ତାଙ୍କୁ ନିଲମ୍ବିତ କରାଯାଇଛି । ମାତ୍ର ଏଭଳି ଜଣେ ଅସଭ୍ୟ, ଅମଣିଷ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିବାକୁ ଦାବି ହୋଇଛି । ଜାତୀୟ ମାନବାଧିକାର କମିଶନଙ୍କ ପାଖକୁ ମଧ୍ୟ ଏହି ମାମଲା ଯାଇଛି ।
ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଆବେଦନକୁ ଜାତୀୟ ମାନବାଧିକାର କମିଶନ ଗ୍ରହଣ( NHRC କେସ୍ ଡାଇରୀ ନଂ 4704/IN/2021) କରିଛନ୍ତି । ଶରତ ଥାନାର ନିଲମ୍ବିତ ଓଆଇସି ରୀନା ବକ୍ସଲାଙ୍କୁ ଚାକିରିରୁ ବହିଷ୍କାର ଏବଂ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇଥିବା ପତି-ପତ୍ନୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କ୍ଷତିପୂରଣ ଟଙ୍କା ସଂପୃକ୍ତ ପୁଲିସ ଅଧିକାରୀଙ୍କଠାରୁ ଆଦାୟ କରିବାକୁ ସେ ଅନୁରୋଧ କରିଛନ୍ତି ।
ଘଟଣା ଥିଲା ଏମିତି । ଶରତ ଥାନା ଅନ୍ତର୍ଗତ ନୋଟ ପଞ୍ଚାୟତର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ପତ୍ନୀ ଗୁରୁବାରୀଙ୍କୁ ମଟରସାଇକେଲରେ ଉଦଳା ନେଉଥିଲେ ଚେକ୍ ଅପ୍ ପାଇଁ । ବିକ୍ରମ ମାସ୍କ ଓ ହେଲମେଟ୍ ପିନ୍ଧିଥିବା ବେଳେ ପତ୍ନୀ ମାସ୍କ ପିନ୍ଧିଥିଲେ ମଧ୍ୟ ହେଲମେଟ୍ ପିନ୍ଧି ନ ଥିଲେ । ବାଟରେ ହେଲମେଟ୍ ଚେକିଂ ହେଉଥିବାରୁ ପୁଲିସ ସେମାନଙ୍କୁ ଅଟକାଇଥିଲା । ଶରତ ଥାନା ଓଆଇସି ରୀନା ବକ୍ସଲା ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ଯାଞ୍ଚ କରି ଠିକଠାକ୍ ଥିବା ଦେଖିବା ପରେ ପତ୍ନୀଙ୍କ ମୁଣ୍ଡରେ ହେଲମେଟ୍ ନ ଥିବାରୁ ହଜାରେ ଟଙ୍କା ଫାଇନ୍ କାଟିଲେ । ତେବେ ପାଖରେ ପଇସା ନଥିବା ଜଣାଇ ଅନଲାଇନ୍ ରେ ପେମେଣ୍ଟ କରିଦେବେ ବୋଲି ବିକ୍ରମ ଅନୁରୋଧ କରିଥିଲେ ।
ମାତ୍ର ଓଆଇସି ଏଥିରେ ରାଜି ହେଲେ ନାହିଁ । ଓଲଟି ପୂରା ଗରମ ହୋଇଗଲେ । ଥାନାକୁ ଚାଲ୍ କହି ବିକ୍ରମଙ୍କୁ ଜବରଦସ୍ତ ପୁଲିସ ଗାଡ଼ିରେ ବସାଇଲେ । ଗର୍ଭବତୀ ପତ୍ନୀ ଏକା ଥିବାରୁ ତାଙ୍କୁ ସାଙ୍ଗରେ ଆଣିବାକୁ ନେହୁରା ହୋଇଥିଲେ ମଧ୍ୟ ଓଆଇସି କିଛି ଶୁଣି ନ ଥିଲେ । ପତ୍ନୀଙ୍କୁ ଏକା ଛାଡ଼ିଦେଇ ବିକ୍ରମଙ୍କୁ ଥାନାକୁ ନେଇ ଆସିଲେ । ଜଙ୍ଗଲିଆ ରାସ୍ତା ସାଙ୍ଗକୁ ପ୍ରବଳ ଖରାରେ ୮ ମାସର ଗର୍ଭବତୀ ଗୁରୁବାରୀ ଥାନା ପର୍ଯ୍ୟନ୍ତ ୩ କିମି ଚାଲି ଚାଲି ଆସିବାକୁ ବାଧ୍ୟ ହେଲେ । ଥାନାରେ ସେ ପହଞ୍ଚିଲା ବେଳକୁ ସ୍ୱାମୀ ହାଜତରେ ବସିଥିଲେ । ଓଆଇସି ତାଙ୍କୁ ୪ ଘଣ୍ଟା କାଳ ବସାଇଲା ପରେ ଯାଇ ଛାଡ଼ିଲେ ।
ଏ ସମ୍ପର୍କରେ ଉଭୟ ପତି-ପତ୍ନୀ ଏସଡ଼ିପିଓଙ୍କୁ ଲିଖିତ ଭାବେ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ମୟୁରଭଞ୍ଜ ଏସପି ତାଙ୍କୁ ସସପେଣ୍ଡ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ ରେ ପୁଲିସ ବ୍ୟବସ୍ଥାକୁ ଲୋକାଭିମୁଖୀ କରାଯାଇ ପୁଲିସର ଉତ୍ତମ ବ୍ୟବହାରକୁ ପ୍ରାଥମିକତା ଦିଆଯାଉଥିବା ବେଳେ ରୀନା ବକ୍ସଲାଙ୍କ ଭଳି ଅଧିକାରିଣୀ ବ୍ୟବସ୍ଥାରେ କଳଙ୍କ ହୋଇଛନ୍ତି । ସର୍ବୋପରି ଜଣେ ମହିଳା ହୋଇ ବି ଆଉ ଜଣେ ମହିଳାଙ୍କ ପ୍ରତି ତାଙ୍କର ନିଷ୍ଠୁର ଓ ଅମାନବୀୟ ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି ।
ସରକାରୀ ସେବା ଲାଗି ଏହି ମହିଳା ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚାକିରିରୁ ଅବ୍ୟାହତି ଦିଆଯିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ । ଦୃଷ୍ଟାନ୍ତମୂଳକ କଠୋର ପଦକ୍ଷେପ ନିଆ ନଗଲେ ସରକାରଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ । ପୁଲିସ ବ୍ୟବସ୍ଥାରେ ସୁଧାର ଆସିପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ଦେଇଛନ୍ତି ।