ବଲାଙ୍ଗୀର/ଭୁବନେଶ୍ୱର: ବନ୍ଧୁକଧାରୀ ଅଜଣା ଯୁବକଟି ହଠାତ୍ ଭଦ୍ରବ୍ୟକ୍ତିଙ୍କ ଘର ଭିତରକୁ ପଶିଆସିଲା । କେହି କିଛି ବୁଝିବା ପୂର୍ବରୁ ଘର ମୁରବୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକେଇବା ଆରମ୍ଭ କଲା । ତୁମ ଭାଣିଜୀକୁ ଡାକ, ନଚେତ୍ ଗୁଳି କରିଦେବି ବୋଲି ଚିଲ୍ଲେଇଲା । ଭଦ୍ରଲୋକଙ୍କ ପତ୍ନୀ ଓ ନାବାଳକ ପୁଅକୁ ମଧ୍ୟ ବନ୍ଧୁକ ମୁନରେ ଚୁପ୍ କଲା । ପାଖକୁ ଯିଏ ଆସିବ, ଗୁଳି କରିଦେବ ବୋଲି ଚିକ୍ରାର କଲା । ପୁଲିସ ଓ ଅଗ୍ନିଶମ ବାହିନୀ କୌଶଳକ୍ରମେ ଘରର ପଛ ଝରକା ବାଟେ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲା ବେଳେ ଖୋଦ୍ ଏସପିଙ୍କ ନେତୃତ୍ୱରେ ପୁଲିସ ଅପରେସନ୍ ଜରିଆରେ ଆତଙ୍କୀ ଯୁବକକୁ କାବୁ କରିଛି ।
ଆଜି ବଲାଙ୍ଗୀରର ଏହି ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଟାଉନ୍ ଥାନା ଅନ୍ତର୍ଗତ ଶାନ୍ତିପଡ଼ା ବାସିନ୍ଦା ଦିବ୍ୟଲୋଚନ ହୋତାଙ୍କ ଘରେ ପଶି ଭୟଙ୍କର କାଣ୍ଡ ଭିଆଇଛି ବିକ୍ରମ ପଣ୍ଡା ନାମକ ଜଣେ ଯୁବକ । ବଲାଙ୍ଗୀର ମହିଳା କଲେଜ ପାଖରେ ଇଣ୍ଟରନେଟ୍ କାଫେ ବ୍ୟବସାୟ କରୁଥିବା ଏହି ଯୁବକ ଏକପାଖିଆ ପ୍ରେମରେ ମତୁଆଲା ହୋଇ ଏଭଳି ପାଗଳ କାଣ୍ଡ କରିଥିବା ଜଣାପଡ଼ିଛି ।
ଆଜି ସକାଳ ୯ଟା ପାଖାପାଖି ବେଳେ ବିକ୍ରମ ହଠାତ୍ ପଶି ଆସିଥିଲା ଦିବ୍ୟଲୋଚନ ହୋତାଙ୍କ ଘରକୁ । ସେତେବେଳେ ଶ୍ରୀ ହୋତା ପୂଜା କରୁଥିଲେ । ଭାବିଲେ, ଏସି ନଚେତ୍ ବିଦ୍ୟୁତ ସଜାଡ଼ିବା ଲୋକ ହୋଇଥିବେ । ମାତ୍ର ଯୁବକଟି ଭିତରପଟୁ କବାଟ ଦେଇ ପାଖରେ ରଖିଥିବା ବନ୍ଧୁକକୁ ତାଙ୍କ ମୁଣ୍ଡରେ ଲଗାଇଦେଲା । ତୁମ ଭାଣିଜୀ କେଉଁଠି ଅଛି ଡାକ, ନହେଲେ ଗୁଳି କରିଦେବି ବୋଲି କହିଲା । ଶ୍ରୀ ହୋତାଙ୍କ ପତ୍ନୀ ଏବଂ ନାବାଳକ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇ ବି ଧମକାଇଲା । ଭାଣିଜୀକୁ ଡାକି ନ ଆଣିଲା ପର୍ଯ୍ୟନ୍ତ ଏଇଠି ରହିଲ କହି ସମସ୍ତଙ୍କୁ ପଣବନ୍ଦୀରେ ରଖିଲା ।
ତେବେ କୌଶଳକ୍ରମେ ହୋତାଙ୍କ ପରିବାର ଏକ ରୁମ୍ ଭିତରକୁ ଖସିଆସି ଭିତରୁ କବାଟ ଦେଇଦେଲେ । ବିକ୍ରମ ଗର୍ଜନ ତର୍ଜନ କରି କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରି ନ ଥିଲା । ଇତିମଧ୍ୟରେ ବଲାଙ୍ଗୀର ଟାଉନ୍ ଥାନା ପୁଲିସ ଖବର ପାଇ ସେଠାରେ ପହଞ୍ଚି ସାରିଥିଲେ ଏବଂ ୩ ପରିବାର ସଦସ୍ୟଙ୍କ ଉଦ୍ଧାର ଅପରେସନ୍ ରେ ଲାଗିଯାଇଥିଲେ । ସେଥିପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସେହି ରୁମ୍ ର ପଛ ଝରକା ବାଟେ ସେମାନଙ୍କୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ ।
ସେପଟେ ଘର ଭିତରେ ପାଗଳ ପଶୁ ଭଳି ଉତ୍ପାତ କରିଥିଲା ଛୁରୀ ଓ ବନ୍ଧୁକଧାରୀ ବିକ୍ରମ । ଆଗକୁ ଯିଏ ଆସିବ ଗୁଳି କରିଦେବ ବୋଲି ଚିକ୍ରାର କଲା । ବିକ୍ରମର ୪ ଜଣ ଭଲ ସାଙ୍ଗକୁ ପୁଲିସ ଡାକି ତାକୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା । ମାତ୍ର ବିକ୍ରମ କାହାରି ସାଙ୍ଗରେ କଥା ହୋଇ ନ ଥିଲା । ଏଠିକି କେହି ଆସନି ବୋଲି ଧମକେଇଥିଲା । ଶେଷରେ ବଲାଙ୍ଗୀର ଏସପି ନୀତିନ କୁଶଲକର ନିଜେ ଘର ଭିତରକୁ ପଶିଥିଲେ । ସାଙ୍ଗରେ ଥିଲେ ବଲାଙ୍ଗୀର ଏସଡିପିଓ ଏବଂ ଟାଉନ ଥାନା ଆଇଆଇସି । ବିକ୍ରମକୁ କାବୁ କରିବାକୁ ବହୁ କୌଶଳ ପ୍ରୟୋଗ କରାଯାଇଥିଲା । ମାତ୍ର ପୁଲିସକୁ ଦେଖି ସେ ନଇଁବା ପରିବର୍ତ୍ତେ ଦୁଇ ତିନି ରାଉଣ୍ଡ ଗୁଳି କରିଥିଲା । ପରେ ଏସପି ଓ ତାଙ୍କ ବାହିନୀ ତାକୁ କାବୁ କରିଥିଲେ ।
ପୁଲିସ କାବୁ କଲା ପରେ ମଧ୍ୟ ବିକ୍ରମ ଶାନ୍ତ ପଡ଼ି ନ ଥିଲା । ହିଂସ୍ର ଆଚରଣ ଜାରି ରଖିଥିଲା । ତାଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇ ପଚରାଉଚୁରା କଲା ପରେ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ବିକ୍ରମ ଏକପାଖିଆ ଭଲ ପାଉଥିଲେ । ବିକ୍ରମ ତାଙ୍କୁ ବାହା ହେବା ପ୍ରସ୍ତାବ ଦେବା ପରେ ସେ ମନା କରିଦେଇଥିଲେ । ସଂପୃକ୍ତ ଯୁବତୀ ହୋତା ପରିବାରର ସମ୍ପର୍କୀୟ ।