ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଅନଲକ ଆରମ୍ଭ ହୋଇଛି । ଆଉ ଦୁଇସପ୍ତାହ ଅର୍ଥାତ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆଶିଂକ ଲକଡାଉନ୍ କଟକଣା ରହିବ । ସମଗ୍ର ରାଜ୍ୟକୁ କାଟାଗୋରି-ଏ ଏବଂ କାଟାଗୋରି-ବି ଏଭଳି ଦୁଇଟି ଭାଗରେ ବିଭକ୍ତ କରାଯାଇ ଲକଡାଉନ୍ କଟକଣା କୋହଳ କରାଯାଇଛି । ତେବେ ସମଗ୍ର ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଜାରି ରହିବ ।
କାଟାଗୋରି-ଏ ଅନ୍ତର୍ଗତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ ଟି ଜିଲ୍ଲାରେ ସକାଳ ୬ ରୁ ସଂଧ୍ୟା ୭ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ମାତ୍ର ମଲ୍, ସେଲୁନ୍, ସ୍ପା, ସୁଇମିଂ ପୁଲ୍, ସିନେମା ହଲ୍, ପାର୍କ କିନ୍ତୁ ଖୋଲିବ ନାହିଁ । କାଟାଗୋରି-ବି ରେ ଉପକୂଳବର୍ତ୍ତୀ ୧୩ ଜିଲ୍ଲାରେ ସକାଳ ୬ ରୁ ଦିନ ୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ଏହି ଜିଲ୍ଲାଗୁଡ଼ିକରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଉଠାଦୋକାନରେ ଖାଦ୍ୟ ବିକ୍ରୀକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ସେମାନେ କେବଳ ପାର୍ସଲ ଦେବେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଅବିଭକ୍ତ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ଗଞ୍ଜାମ, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ କାଟାଗୋରୀ-ଏ ରେ ରଖାଯାଇଛି । ଏଥିରେ ଥିବା ୧୭ଟି ଜିଲ୍ଲାରେ ସଂକ୍ରମଣ ହାର ୫% ରୁ କମ ଅଛି । ଅନ୍ୟପକ୍ଷରେ ଢ଼େଙ୍କାନାଳ, ଅନୁଗୁଳ ସମେତ ଉପକୂଳବର୍ତ୍ତୀ ୧୩ ଟି ଜିଲ୍ଲାରେ ସଂକ୍ରମଣ ୫% ଉପରେ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଏହି ଆଂଶିକ ଲକଡାଉନରେ ଲୋକଙ୍କୁ ମର୍ଣ୍ଣିଂ ୱାକ୍, ଜଗିଂ ଏବଂ ସାଇକେଲିଂ ପାଇଁ ସକାଳୁ ୩ ଘଣ୍ଟା ସମୟ ଦିଆଯାଇଛି । ସପ୍ତାହର ୫ ଦିନ ସକାଳ ୬ ରୁ ୯ଟା ପର୍ଯ୍ୟନ୍ତ ସେମାନେ ଏହା କରିପାରିବେ ।
ତେବେ ପୂର୍ବଭଳି ସମଗ୍ର ରାଜ୍ୟରେ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ରହିବ । ସାମାଜିକ, ଧାର୍ମିକ, କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ । ବାହାଘର ଓ ଅନ୍ତଷ୍ଟିକ୍ରିୟା କଟକଣା ଆଦି ଜାରି ରହିବ । ସରକାରୀ ଓ ବେସରକାରୀ ଅଫିସଗୁଡ଼ିକ ୫୦% କର୍ମଚାରୀରେ ଅଫିସ ଚଳାଇବେ । ବସ ଚଳାଚଳ ବନ୍ଦ ରହିବ ।
ଯେଉଁଠି ସଂକ୍ରମଣ ବଢ଼ିବ ସେଠାରେ ପୁନର୍ବାର କଟକଣା ଜାରି କରିବାକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସ୍ଥାନୀୟ ପରିସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ ।
ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏବେ ବି ଦୈନିକ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ସୁତରାଂ ସଂକ୍ରମଣ ଭୟ ଚାଲିଗଲା ବୋଲି ଲୋକେ ଭାବିବା ଠିକ୍ ନୁହେଁ । ବରଂ ଏଇ ବର୍ଷା ଋତୁରେ ଲୋକେ ଅଧିକ ସତର୍କତା ରହିବାକୁ ଅନୁରୋଧ କରାଯାଇଛି । ବିନା କାମରେ କେହି ବାହାରକୁ ବାହାରନ୍ତୁ ନାହିଁ । କାମରେ ଗଲେ ମାସ୍କ ନିଶ୍ଚିତ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।