ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦ୍ୱାର ଏବେ ଖୋଲିବ ନାହିଁ । ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ରଥଯାତ୍ରା ଭଳି ଏଥର ମଧ୍ୟ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳନ ହେବ । ଜୁଲାଇ ୨୩ ନୀଳାଦ୍ରି ବିଜେ ପରେ କୋଭିଡ୍ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ୍ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ବର୍ତ୍ତମାନ କୋଭିଡ୍ ସ୍ଥିତି ଦୃଷ୍ଟିରୁ ରାଜ୍ୟ ସରକାରଙ୍କ କଟକଣା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯାଇପାରିବ ନାହିଁ । ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା ଏବଂ ନୀଳାଦ୍ରି ବିଜେ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ପାଳନ ହେବ । ନୀଳାଦ୍ରି ବିଜେ ପରେ କୋଭିଡ୍ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ, ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଆଜି ସକାଳେ ପୁରୀରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିବା ପରେ ଦଇତାପତି ନିଯୋଗ ବୈଠକରେ ଯୋଗ ଦେଇଥିଲେ । ପୂର୍ବବର୍ଷ ଭଳି ଏବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆଲୋଚନା କରାଯାଇଥିଲା । ସଂଧ୍ୟାରେ ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ଜୁଲାଇ ୨୫ ଯାଏଁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା ।