ଭୁବନେଶ୍ୱର: କରୋନାରେ ଜୀବିକା ହରାଇଥିବା ବିଶ୍ୱ ଐତିହ୍ୟ ଗାଁ ରଘୁରାଜପୁର ଗ୍ରାମବାସୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନବ ଢ଼ଙ୍ଗରେ ଦିଆଯାଇଛି ଆର୍ଥିକ ସହାୟତା । ଦୟା ପରବଶରେ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ପାରମ୍ପରିକ ଚିତ୍ର ଅଙ୍କନ ପ୍ରତିଯୋଗିତା କରାଯାଇ କଳାର ସ୍ୱୀକୃତି ସ୍ୱରୂପ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ୯ ଦିନିଆ ଏହି ଶିବିରର ଆଜି ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ପୁରୀ ଜିଲ୍ଲାର ରଘୁରାଜପୁର ଗାଁ ପଟ୍ଟଚିତ୍ର ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବିଶ୍ୱ ଐତିହ୍ୟ ଗ୍ରାମର ମାନ୍ୟତା ବି ପାଇଛି । କଳା ହିଁ ଏହି ଗାଁ ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର । କରୋନାରେ ଜୀବିକା ହରାଇଥିବା ଏହି ଗ୍ରାମବାସୀଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଉଦ୍ୟମ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଜୁନ୍ ୮ ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା ପାରମ୍ପରିକ ପଟ୍ଟଚିତ୍ର ଶିବିର ‘ସତ୍ପରଙ୍ଗ’ ।
ଗାଁର ସମସ୍ତ ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ । ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ୱୀକୃତି ସ୍ୱରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି । ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର । କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ । ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଥିଲା । ସାରା ଗାଁଟି ତାଙ୍କୁ ଏକ ଆର୍ଟ ଗ୍ୟାଲେରୀ ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ରଘୁରାଜପୁର ବାସିନ୍ଦା ମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି ଏବଂ ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି କହିଥିଲେ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡିଶାର କଳା ହିଁ ତାର ଅନ୍ୟତମ ପରିଚୟ । ଏହାର ସୁରକ୍ଷା ଓ ବିକାଶ ପାଇଁ ସରକାର ସବୁବେଳେ କାମ କରୁଛନ୍ତି ଓ କାମ କରିଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଜୁମ୍ ମାମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଓଡିଶା ଲଳିତକଳା ଏକାଡେମୀର ସଭାପତି ଡଃ ସୁଦର୍ଶନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଂଜନ ଦାସ, ପୁରୀ ଜିଲ୍ଲାପାଳ ଏବଂ ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଶ୍ରୀ ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।






