ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓପିଏଏସି ଜରିଆରେ ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ଆଜି କଥା ହେବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

କରୋନା ମହାମାରୀ ବେଳେ ଡାକ୍ତରମାନଙ୍କ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ଅଛି । ଜୀବନ ମୃତୁ୍ୟ ପରିସ୍ଥିତିରେ ଡାକ୍ତରଙ୍କୁ ଲୋକମାନେ ଭଗବାନ ବୋଲି ମାନନ୍ତି । କରୋନା ସେମାନଙ୍କୁ ଯୋଦ୍ଧାର ମାନ୍ୟତା ଆଣିଦେଇଛି । ଦୀର୍ଘ ବର୍ଷକରୁ ଅଧିକ ସମୟ ହେଲା ସେମାନେ କରୋନା ଯୁଦ୍ଧର ଆଗଧାଡ଼ିରେ ରହି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । ନବନିଯୁକ୍ତ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ ରୋଲ୍ ମଡେଲ୍ ଆଖ୍ୟା ଦେଇଥିଲେ । କରୋନା ଦୁର୍ଗତି ବେଳେ କାର୍ଯ୍ୟରେ ଯୋଗଦେଇଥିବାରୁ ସେମାନଙ୍କ ଶୁଭକାମନା କରିବା ସହ ନିଜ ଓ ଅନ୍ୟମାନଙ୍କ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି.କେ.ପାଣ୍ଡିଆନ୍ ନବନିଯୁକ୍ତ ଡାକ୍ତରମାନଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଉତ୍ତମ ପ୍ରଶାସନର ମୂଳ ଲକ୍ଷ୍ୟ ହେଉଛି ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସେବା ଯୋଗାଇବା । ଉପଲବ୍ଧ ଜ୍ଞାନକୌଶଳ ଜରିଆରେ ଲୋକଙ୍କୁ ଆଶୁ ଏବଂ ଫଳପ୍ରଦ ସେବା ଯୋଗାଇବା “ମୋ ସରକାର’ ର ମୂଳ ଲକ୍ଷ୍ୟ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କର ଏହି ସିଦ୍ଧାନ୍ତକୁ ଡାକ୍ତରମାନେ ଅନୁସରଣ କରି କାର୍ଯ୍ୟ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ ।
ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମର ସୂଚନା ଦେଇଥିଲେ । ଚଳିତବର୍ଷଠାରୁ ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ହେବ । ୨୦୨୪ ମଧ୍ୟରେ ଓଡ଼ିଶାରେ ଆଉ ଦୁଇଟି ମେଡିକାଲ୍ କଲେଜ ସ୍ଥାପନ ହେବ ବୋଲି ସେ ସୂଚନା ଦେଇଥିଲେ ।
ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ଉଦ୍ୟମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହା ହାସଲ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ।
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।






