ଭୁବନେଶ୍ୱର: ଜଣେ ହାଇସ୍କୁଲ ହିନ୍ଦୀ ଶିକ୍ଷକ କେବଳ କୋଟିପତି ନୁହଁନ୍ତି, ୫ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ୩ ଟି ବଙ୍ଗଳା, ୨ ଟି ଆପର୍ଟମେଣ୍ଟ ଏବଂ ୧୦ ଟି ପ୍ଲଟ୍ ତାଙ୍କର । ଘରେ ଗାଡିମଟର, ସୁନା ଅଳଙ୍କାର, ଦାମୀ ଆସବାବପତ୍ର ଭର୍ତ୍ତି । ଆଜି ଭିଜିଲାନସ୍ ଚଢ଼ାଉ ବେଳେ ଏହି ବିଶାଳ ସମ୍ପତ୍ତି ଠାବ ହୋଇଛି । ଜଣେ ଶିକ୍ଷକଙ୍କର ଏତେ ସମ୍ପତ୍ତି ଭିଜିଲାନସ୍ ଅଧିକାରୀମାନଙ୍କୁ ତାଜୁବ୍ କରିଛି ।
୫ କୋଟି ସମ୍ପତ୍ତିର ମାଲିକ ବନିଥିବା ଏହି ହିନ୍ଦୀ ଶିକ୍ଷକ ଜଣଙ୍କ ହେଉଛନ୍ତି ଭୁବନାନନ୍ଦ ସାହୁ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଝଣ୍ଡାକୁଲିସ୍ଥିତ ଯଶୋଦା ହାଇସ୍କୁଲ୍ ରେ କ୍ଲାସିକାଲ୍ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ପାଇ ଆଜି ସକାଳୁ ଭିଜିଲାନସ୍ ବିଭାଗ ପକ୍ଷରୁ ଏକକାଳୀନ ୫ଟି ଜାଗାରେ ଚଢ଼ଉ କରାଯାଇଥିଲା । ଶ୍ରୀ ସାହୁ ରହୁଥିବା ବ୍ରହ୍ମପୁରସ୍ଥିତ ବୈକୁଣ୍ଠନଗର ଘର, ବ୍ରହ୍ମପୁର ବ୍ରହ୍ମନଗରରେ ଥିବା ୫ ମହଲାର ଘର, ପୈତୃକ ଘର କୋଟିଲିଙ୍ଗି, ଲକ୍ଷ୍ମୀପୁରଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ଏବଂ ଝଣ୍ଡାକୁଲିସ୍ଥିତ ଅଫିସ୍ ଘରେ ଏହି ଚଢ଼ଉ ହୋଇଥିଲା ।
ଶ୍ରୀ ସାହୁଙ୍କ ଭୂସମ୍ପତ୍ତି ତାଲିକାରେ ଅଛି ଏକ ୫ ମହଲାର ବିଲଡିଂ(୧ କୋଟି ୮୬ ଲକ୍ଷ), ଏକ ତିନି ମହଲାର ବିଲଡିଂ(୧ କୋଟି ୧୨ ଲକ୍ଷ), ଏକ ସିଙ୍ଗଲ୍ ବିଲଡିଂ(୩୮ ଲକ୍ଷ), ଭୁବନେଶ୍ୱର ଓ ପୁରୀରେ ଦୁଇଟି ଆପାର୍ଟମେଣ୍ଟ(୩୪ ଲକ୍ଷ), ଗୋପାଳପୁରରେ ଫ୍ଲାଟ୍(୬ ଲକ୍ଷ), ଗୋଟିଏ ଆଜବେଷ୍ଟସ୍ ଘର, ଗୋଟିଏ ସିଙ୍ଗଲ୍ ରୁମ୍ ଘର, ଦୋକାନ ଘର, ବ୍ରହ୍ମପୁରର ବିଭିନ୍ନ ଜାଗାରେ ୧୦ଟି ପ୍ଲଟ୍(୩୮ ଲକ୍ଷ) ।
ବିଭିନ୍ନ ବ୍ୟାଙ୍କରେ ତାଙ୍କର ୮ ଲକ୍ଷ ୪୩ ହଜାର ଟଙ୍କା ଡିପୋଜିଟ୍, ୨୦ ଲକ୍ଷ ୭୪ ହଜାରର ଏଲଆଇସି ଇନଭେଷ୍ଟମେଣ୍ଟ, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ତିନୋଟି ମଟର ସାଇକେଲ ଏବଂ ୧୪ ଲକ୍ଷ ୭୨ ହଜାର ଟଙ୍କାର ଘର ଆସବାବପତ୍ର ରହିଛି । ନଗଦ ୯, ୪୭୦ ଟଙ୍କା ପାଖରେ ରଖିଥିଲେ ।
ଏହିଭଳି ଭାବେ ଏ ପର୍ଯ୍ୟନ୍ତ ତାଙ୍କର ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା ଆକଳନ କରାଯାଇଛି । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଭିଜିଲାନସ୍ ପକ୍ଷରୁ ଖୋଳତାଡ଼ ଜାରି ରହିଛି ।