ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ପୂରା ତଳକୁ ଖସି ଆସିଛି । ହୀରାକୁଦ ଇତିହାସରେ ଏମିତି ସଙ୍କଟ ପ୍ରଥମ ଥର ପାଇଁ ଦେଖାଦେଇଛି । ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ସାମନାକୁ ଆଣିଛନ୍ତି ।
ସେ କହିଛନ୍ତି, ଏବେ ହୀରାକୁଦରେ ଜଳସ୍ତର ୬୧୬.୬୯ ଫୁଟ୍ ରହିଛି । ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍ ଥିଲା । ୪ ଦିନ ତଳେ ୬୧୭.୫୧ ଫୁଟ୍ ଜଳ ଥିଲା । ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମୁଛି ଜଳସ୍ତର । ଯଦି ଏହି ହାରରେ ପାଣି କମେ ତେବେ ମେ’ ମାସ ଶେଷ ବେଳକୁ ୬୦୦ ଫୁଟ୍ ରେ ଜଳସ୍ତର ପହଞ୍ଚିବା ଏକପ୍ରକାର ସ୍ପଷ୍ଟ ହୋଇଛି । ୬୦୦ ଫୁଟ୍ ରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହିତ ବିଜୁଳି ଉତ୍ପାଦନ ବନ୍ଦ ହେବାର ଆଶଙ୍କା ରହିଛି । ପୂର୍ବରୁ ହୀରାକୁଦକୁ ୧୨ ହଜାରରୁ ୧୫ ହଜାର କ୍ୟୁସେକ ପାଣି ଆସୁଥିଲା । ଏବେ ମାତ୍ର ୪୮୫ କ୍ୟୁସେକ ପାଣି ଆସୁଛି ।
ମହାନଦୀ ଟ୍ରିବ୍ୟୁନାଲ୍ ଗଠନକୁ ୭ ବର୍ଷ ହୋଇଗଲାଣି । ୧.୨୫୨ ମିଲିୟନ ଏକର ପାଣି ଦିଆଯିବା ପାଇଁ ଦାବି ଥିଲା । ମାତ୍ର ଟ୍ରିବ୍ୟୁନାଲ୍ ନିଷ୍ପତ୍ତି ନେଲା ନାହିଁ କି ଅନ୍ତରୀଣ ରିଲିଫ୍ ଦେଲେ ନାହିଁ । ଛତିଶଗଡ଼ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଭାବ ଓଡ଼ିଶାରେ ଏବେ ପଡୁଛି । ଡିସେମ୍ବରରୁ ଏ ସମସ୍ୟା ଆରମ୍ଭ ହୋଇ ଏବେ ମାର୍ଚ୍ଚ ହେଲାଣି । ସରକାର ସବୁ ଜାଣି ମଧ୍ୟ ନିରବ । ମେ’ ମାସ ବେଳକୁ କ’ଣ ହେବ ଅନୁମାନ କରିବା ମୁସ୍କିଲ୍ ବୋଲି ବିଜୟ କହିଛନ୍ତି ।
୭ ବର୍ଷ ଭିତରେ ରାଜ୍ୟ ସରକାର ଚାହିଁଥିଲେ ୨ ରୁ ୩ ଟି ବ୍ୟାରେଜ୍ କରିପାରିଥାନ୍ତେ । ମାତ୍ର ତାହା କରିନାହାନ୍ତି । ଏତେବଡ଼ ସମସ୍ୟାକୁ ସରକାର ଗୁରୁତର ସହ ନ ନେଇ କାହିଁକି ଖାମଖିଆଲ ଭାବେ ନେଲେ ତାହା ସବୁଠୁ ଆଶ୍ଚର୍ଯ୍ୟର କଥା । ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟମାନେ ଆଲୋଚନା କରନ୍ତୁ । ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ସେପଟେ ମହାନଦୀ ଟ୍ରିବ୍ୟୁନାଲ୍ ର ଆଜି ଶୁଣାଣି ହୋଇଥିଲା । ଏହି ଅବସରରେ କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି । ଦୁଇଟି ପର୍ଯ୍ୟାୟରେ ଛତିଶଗଡ଼ ଏବଂ ଓଡ଼ିଶା ପରିଦର୍ଶନ କରିବ ଟିମ୍ । ଏପ୍ରିଲ୍ ୧୭ ରୁ ୨୧ ପର୍ଯ୍ୟନ୍ତ ଛତିଶଗଡ଼ ଏବଂ ଏପ୍ରିଲ ୨୯ ରୁ ମେ’ ୩ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବ ।