ଭୁବନେଶ୍ୱର: କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ପୁନର୍ବାସ ଓ ଦୋହରୀକରଣ କାର୍ଯ୍ୟ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁନି । ଅଧପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରତିଦିନ ସେହି ରାସ୍ତାରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ନିର୍ମାଣ ସାରିବା ପାଇଁ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାଖକୁ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି, ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କର ଜାତୀୟ ରାଜପଥ-୫୫ ହେଉଛି ଜୀବନରେଖା । ରାସ୍ତାର ଶୋଚନୀୟ ଅବସ୍ଥା ସାଙ୍ଗକୁ ବିପଦପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି । ଗତ ଦୁଇ ବର୍ଷରେ ୩୯୯ ଦୁର୍ଘଟଣା ଘଟିଛି ଏବଂ ୧୯୬ ଜଣଙ୍କର ପ୍ରାଣହାନୀ ହୋଇଛି । ରାସ୍ତା କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ।
ଏହି ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଉଦବେଗକୁ ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ପୂର୍ବରୁ ଅବଗତ କରାଯାଇସାରିଛି । ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଜାତୀୟ ରାଜପଥ ର ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ସହ ନିୟମିତ ସମୀକ୍ଷା କରାଯାଉଛି । ମାତ୍ର କୌଣସି ସୁଫଳ ମିଳୁ ନ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦିଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।