ଭୁବନେଶ୍ୱର: ପୁଞ୍ଜି ବିନିଯୋଗ କ୍ଷେତ୍ରରେ ରାଜ୍ୟକୁ ଆଉ ଏକ ବଡ଼ ସଫଳତା ମିଳିଛି । ରାଜ୍ୟ ସରକାର ଆଜି ୫ ଟି ବଡ଼ ଶିଳ୍ପସଂସ୍ଥାର ସଂମ୍ପ୍ରସାରଣ ପ୍ରକଳ୍ପକୁ ମଂଜୁର କରିଛନ୍ତି । ଏହି ସବୁ ପ୍ରକଳ୍ପରେ ୧,୪୬,୧୭୨ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ୨୬,୯୫୯ ଜଣ କର୍ମନିଯୁକ୍ତି ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୬ତମ ହାଇ ଲେଭଲ୍ କ୍ଲିୟରାନ୍ସ ଅଥରିଟି ଆଜି ଏହାକୁ ମଂଜୁର କରିଛନ୍ତି । ମେଟାଲ୍ ଏବଂ ମେଟାଲ୍ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିରେ ଏହି ପୁଞ୍ଜି ବିନିଯୋଗ ହେବ । ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଥିଲା ବେଳେ ଆଜି ଏହି ଅତିରିକ୍ତ ପୁଞ୍ଜିକୁ ମିଶାଇଲେ କରୋନା କାଳରେ ଆସିଛି ସର୍ବମୋଟ ୪.୪୩ ଲକ୍ଷ କୋଟି ଟଙ୍କାର ଶିଳ୍ପ ପୁଞ୍ଜି ।
ଏହି ୫ଟି ଯାକ ପ୍ରକଳ୍ପ ଦ୍ୱାରା ୨୮ ମିଲିୟନ୍ ଟନ୍ ର ଅତିରିକ୍ତ ଷ୍ଟିଲ୍ ନିର୍ମାଣ କ୍ଷମତା ସୃଷ୍ଟି ହେବ । ଫଳରେ ରାଜ୍ୟରେ ଷ୍ଟିଲ୍ ନିର୍ମାଣ କ୍ଷମତା ଦୁଇଗୁଣା ହେବ ବୋଲି କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ଏହି କ୍ଷମତା ୩୦ ମିଲିୟନ୍ ଟନ୍ ଅଛି । ସୂଚନାଯୋଗ୍ୟ, ୨୦୩୦ ସୁଦ୍ଧା ୧୦୦ ମିଲିୟନ୍ ଟନ୍ ଉତ୍ପାଦନ ସହ ଓଡ଼ିଶାକୁ ଭାରତର ଷ୍ଟିଲ୍ ହବ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ରଖିଛନ୍ତି ।
ଆଜି ମଂଜୁର ପାଇଥିବା ସଂମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ହେଲା- ରେଙ୍ଗାଲି ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍, କଳିଙ୍ଗନଗର ଟାଟା ଷ୍ଟିଲ୍, ଅନୁଗୁଳ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର୍, ଢ଼େଙ୍କାନାଳ ରୁଙ୍ଗଟା ମାଇନସ୍ ଏବଂ କେନ୍ଦୁଝର ରୁଙ୍ଗଟା ମାଇନସ୍ ।
- ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଭୂଷଣ ପାୱାର୍ ଆଣ୍ଡ ଷ୍ଟିଲ୍ ଲିମିଟେଡ଼ ର ଇଣ୍ଟିଗ୍ରେଟେଡ଼ ଷ୍ଟିଲ୍ ପ୍ଲାଣ୍ଟସମ୍ପ୍ରସାରିତ ହୋଇ ୩ ଗୁଣା ଅଧିକ କ୍ଷମତା ସମ୍ପନ୍ନ ହେବ । ବର୍ତ୍ତମାନ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୫ ମିଲିୟନ୍ ଟନ୍ ଥିବା ବେଳେ ଏହାକୁ ୧୫ ମିଲିୟନ୍ ଟନ୍ ବୃଦ୍ଧି କରାଯିବ । ଏଥିପାଇଁ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାରରୁ ଅଧିକ ଲୋକ ନିଯୁକ୍ତି ସୁଯୋଗ ପାଇବେ ।
- କଳିଙ୍ଗନଗରଠାରେ ଟାଟା ଷ୍ଟିଲ୍ ଲିମିଟେଡ଼ ର କ୍ରୁଡ଼ ଷ୍ଟିଲ୍ ନିର୍ମାଣ ବାର୍ଷିକ ୩ ମିଲିୟନ୍ ଟନ୍ ରୁ ୮ ମିଲିୟନ୍ ଟନ୍, ହଟ୍ ରୋଲଡ୍ କଏଲ୍ ୩ ମିଲିୟନ୍ ଟନ୍ ରୁ ୭ ମିଲିୟନ୍ ଟନ୍ କୁ ବୃଦ୍ଧି କରାଯିବ । ଏଥିସହ ବାର୍ଷିକ ୨.୨ ମିଲିୟନ୍ ଟନ୍ କୋଲଡ୍ ରୋଲଡ୍ ସାମଗ୍ରୀ ଏବଂ ୨ ମିଲିୟନ୍ ଟନ୍ ଲମ୍ବା ସାମଗ୍ରୀ ଏଥିରୁ ଉତ୍ପାଦନ ହେବ । ଏଥିରେ ସମୁଦାୟ ୪୭,୫୯୯ କୋଟି ଟଙ୍କା ଖର୍ଚ୍ଚ ହେବ । ୪,୬୨୫ ଜଣ ନିଯୁକ୍ତି ପାଇବେ ।
- ଅନୁଗୁଳରେ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡର ୬ ମିଲିୟନ୍ ଟନ୍ ଇଣ୍ଟିଗ୍ରେଟେଡ଼ ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ । ଏହାର ପ୍ରସ୍ତାବିତ କ୍ଷମତା ୧୮.୬ ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇ ୨୫.୨ ମିଲିୟନ୍ ଟନ୍ କରାଯିବ । ଏଥିରେ ସମୁଦାୟ ୨୪, ୬୫୨ କୋଟି ଟଙ୍କା ଖର୍ଚ୍ଚ ହେବ । ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବେ ।
ଏହାକୁ ମିଶାଇଲେ ଜିନ୍ଦଲ୍ ଷ୍ଟିଲ୍ ପ୍ଲାଣ୍ଟ ର ସମୁଦାୟ ପୁଞ୍ଜିନିବେଶ ୧,୦୦,୬୭୦ କୋଟି ଟଙ୍କାରେ ପହଞ୍ଚିବ । ଗୋଟିଏ ଜାଗାରେ ଏତେ ବିଶାଳ କ୍ଷମତା ସମ୍ପନ୍ନ ଷ୍ଟିଲ୍ ପ୍ଲାଣ୍ଟ ଦୃଷ୍ଟିରୁ ବିଶ୍ୱରେ ଏହା ସର୍ବବୃହତ୍ତ ବୋଲି କୁହାଯାଇଛି । - ଢ଼େଙ୍କାନାଳ ଜିଲ୍ଲା ଝାରବନ୍ଧରେ ରୁଙ୍ଗଟା ମାଇନସ୍ ଲିମିଟେଡ଼ ର ଇଣ୍ଟଇଣ୍ଟିଗ୍ରେଟେଡ଼୍ ଷ୍ଟିଲ୍ ପ୍ଲାଣ୍ଟ କ୍ଷମତା ବାର୍ଷିକ ୨.୮୫ ମିଲିୟନ୍ ଟନ୍ ରୁ ୭.୫୫ ମିଲିୟନ୍ ଟନ୍ କୁ ବୃଦ୍ଧି ପାଇବ । ଏଥିରେ ୧୧,୦୦୧ କୋଟି ଟଙ୍କା ଖର୍ଚ୍ଚ ହେବ । ୬,୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିବ ।
- କେନ୍ଦୁଝର ଜିଲ୍ଲା କରାଖେନ୍ଦ୍ରଠାରେ ରୁଙ୍ଗଟା ମାଇନସ୍ ଲିମିଟେଡ୍ ର ଷ୍ଟିଲ୍ ପ୍ଲାଣ୍ଟ ବାର୍ଷିକ କ୍ଷମତା ୦.୫୩ ମିଲିୟନ୍ ଟନ୍ ରୁ ୩ ମିଲିୟନ୍ ଟନ୍ କୁ ବୃଦ୍ଧି କରାଯିବ । ଏଥିରେ ୭,୯୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ୫,୧୩୪ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିବ ।