ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ବଡ଼ବଡ଼ିଆ ନେଇଥିବା ପ୍ଲଟ୍ ସମ୍ପୂୂର୍ଣ୍ଣ ବେଆଇନ ବୋଲି ତାରା ଦତ୍ତ କମିଟି ଦର୍ଶାଇ ସେଗୁଡ଼ିକ ବାତିଲ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ଏହାକୁ ରାଜ୍ୟ ସରକାର ଗ୍ରହଣ କରି କ୍ୟାବିନେଟ୍ ମୋହର ମାରିଲେ । ଇତିମଧ୍ୟରେ ନିଷ୍ପତ୍ତିକୁ ୬ ବର୍ଷ ବିତିଗଲାଣି । ତାରା ଦତ୍ତ ଚାକିରିରୁ ଅବସର ନେଇସାରିଲେଣି । ମାତ୍ର କ୍ୟାବିନେଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନି । ଓଲଟି କ୍ୟାବିନେଟ୍ ନିଷ୍ପତ୍ତି ବଦଳାଇବାକୁ ଏବେ ଭୟଙ୍କର ଷଡ଼ଯନ୍ତ୍ର ରଚାଯାଇଛି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ୨୦୧୪ କ୍ୟାବିନେଟ୍ ନିଷ୍ପତ୍ତି ବଦଳାଇବାର ଖସଡ଼ା ଖୋଦ୍ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରିଛି । ଏହି ଯୋଜନାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡ ପୃଥକ୍ ଭାବେ ଏକ ପୁନର୍ବିଚାର ପ୍ରସ୍ତାବ ନଗର ଉନ୍ନୟନ ବିଭାଗକୁ ପଠାଇଛନ୍ତି ।
ଇଚ୍ଛାଧୀନ କୋଟା ପ୍ଲଟ୍ ଆବଣ୍ଟନ ଗୁଡାଏ ବର୍ଷ ହୋଇଯାଇଥିବାରୁ ବାତିଲ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଏକ ଜଟିଳ ବ୍ୟାପାର । ଏହାଦ୍ୱାରା ଆଇନଗତ ସମସ୍ୟା ଦେଖାଦେବ ବୋଲି ପ୍ରସ୍ତାବ( ଜେନେରାଲ୍ ନୋଟ୍) ରେ ଦର୍ଶାଯାଇଛି । ନଗର ଉନ୍ନୟନ ବିଭାଗ ଏହି ତିନୋଟି ଯାକ ସମାନ ପ୍ରସ୍ତାବକୁ ସରକାରଙ୍କ ପାଖରେ ରଖି କ୍ୟାବିନେଟ୍ ର ମଂଜୁର କରାଇନେବାକୁ ଯୋଜନା ହୋଇଛି । ଅର୍ଥାତ୍ ଇଚ୍ଛାଧୀନ କୋଟାରେ ବେଆଇନ ଭାବେ ଆବଣ୍ଟିତ ପ୍ଲଟ୍ ଗୁଡ଼ିକ ବାତିଲ ହେବ ନାହିଁ । ରାଜ୍ୟ କ୍ୟାବିନେଟ୍ ନିଜ ନିଷ୍ପତ୍ତିର ପୁନର୍ବିଚାର କରି ଏହାକୁ ଆଇନସିଦ୍ଧ କରିଦେବେ ।
ନଗର ଉନ୍ନୟନ ବିଭାଗର ମାର୍ଫତଦାରରେ ଏହି ଭୟଙ୍କର ଷଡ଼ଯନ୍ତ୍ର ପଛରେ ପ୍ରଭାବଶାଳୀ ଲବି କାମ କରୁଥିବା ଜଣାପଡ଼ିଛି । ସରକାରଙ୍କ ଉପରେ ଚାପ ପକାଉଥିବା ଏହି ଗୋଷ୍ଠୀରେ ଅଛନ୍ତି ଇଚ୍ଛାଧୀନ କୋଟାରେ ଉପକୃତ ନେତା, ବ୍ୟୁରୋକ୍ରାଟ୍ ଏବଂ ସାମ୍ବାଦିକ । ବିଭିନ୍ନ ସମୟରେ ଏମାନେ ଇଚ୍ଛାଧୀନ କୋଟା ବ୍ୟବସ୍ଥାରୁ ଫାଇଦା ନେଇଛନ୍ତି । ଅଧିକାଂଶଙ୍କ ଖାତାରେ ଗୋଟିଏ ନୁହେଁ ଏକାଧିକ ପ୍ଲଟ୍ କିମ୍ବା ଫ୍ଲାଟ୍ ଗଡୁଛି । ମାଗଣା ସରକାରୀ କ୍ୱାର୍ଟର୍ ରେ ରହି ସରକାରୀ ଅନୁଗୃହୀତ ଫ୍ଲାଟ୍ କୁ ଭଡ଼ାରେ ଲଗାଇଛନ୍ତି ଏହି ପ୍ରଭାବଶାଳୀ ବାବୁମାନେ ।
ଉଲ୍ଲେଖଥାଉକି, ରାଜସ୍ୱ ବିଭାଗ ଦାୟିତ୍ୱରେ ଥିବା ତତ୍କାଳୀନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାରା ଦତ୍ତ କମିଟି ସୁପାରିଶ ଆଧାରରେ ରାଜ୍ୟ ସରକାର ୧୯୯୫ ଜାନୁଆରୀ ୧ ରୁ ସମସ୍ତ ଇଚ୍ଛାଧୀନ କୋଟା ପ୍ଲଟ୍ ଏବଂ ଫ୍ଲାଟ୍ ଆବଣ୍ଟନକୁ ବାତିଲ କରିଥିଲେ । ଯାହାର ସଂଖ୍ୟା ଥିଲା ୧୭୯୧ । ତାଲିକାରେ ବିଡ଼ିଏର ୮୦୩ ପ୍ଲଟ୍, ସିଡ଼ିଏର ୯୨୧ ପ୍ଲଟ୍ ଏବଂ ହାଉସିଂ ବୋର୍ଡର ୬୭ ପ୍ଲଟ୍ ଥିଲା । ସେଥିମଧ୍ୟରେ ୫୪ ଟି ଏକାଧିକ ପ୍ଲଟ୍ ମାମଲା ବି ଥିଲା ।
୨୦୧୪ ଡିସେମ୍ବର ୧୮ ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ଏକ ଐତିହାସିକ ନିଷ୍ପତ୍ତି ଭାବେ ଅଭିହିତ କରିଥିଲେ ରାଜ୍ୟ ସରକାର । ସରକାରଙ୍କ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।