ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ଗଣମାଧ୍ୟମକୁ କହିଛନ୍ତି । ଦେହ ଠିକ୍ ଥିବାରୁ ବାହାରକୁ ଯିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଓ ସେ ଲିଭର୍ ପ୍ରତ୍ୟାରୋପଣ ପାଇଁ ୫ ତାରିଖରେ ଆମେରିକା ଯିବେ ବୋଲି ନାରଦନିଉଜ ଡଟ୍ କମ୍ ଖବରକୁ ନେଇ ସାରା ରାଜ୍ୟରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ସୋସିଆଲ୍ ମିଡ଼ିଆରେ ଏହା ଭାଇରାଲ୍ ହୋଇଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ନିଜେ ମୁହଁ ଖୋଲିବା ପରେ ତାହା ଯେ ମିଛ ତାହା ସ୍ପଷ୍ଟ ହୋଇଯାଇଛି । ମିଡ-ଡେ ଓଡ଼ିଶା କରିଥିବା ଅନୁସନ୍ଧାନ ଯେ ସତ୍ୟ ତାହା ମଧ୍ୟ ପ୍ରମାଣିତ ହୋଇଛି ।
ବିଜେଡ଼ିରେ ହଲଚଲ୍ କରିବା ପାଇଁ ନାରଦନିଉଜ୍ ଡଟ୍ କମ୍ ଏଭଳି ଖବର ଛାପିଛି ବୋଲି ଏବେ ଧରାପଡ଼ିଯାଇଛି । ଏହା ପଛରେ ବିଜେପିର ହାତ ଥିବା ବିଜେଡ଼ିର ଅନେକ ନେତା ସିଧାସଳଖ ଆରୋପ ଲଗାଇଛନ୍ତି । ସେ ଯାହା ହେଉ ନା କାହିଁକି, ଆମ ଖବର ଅନୁଯାୟୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତର କରି ପ୍ରଚାର କରିବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରଚାଯାଇଛି । ଖାଲି ସେତିକି ନୁହେଁ, କିଛି ମନ୍ତ୍ରୀ ଓ ଶାସକ ଦଳ ବିଧାୟକଙ୍କୁ ବଦନାମ କରିବାକୁ ଷ୍ଟିଙ୍ଗ୍ ଅପରେସନ୍ ଯୋଜନା ହୋଇଛି ।