ଭୁବନେଶ୍ୱର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରାୟ ଅଧଘଣ୍ଟା କାଳ ମୁଖ୍ୟମନ୍ତ୍ରୀ ପାହାଚ ଚଢ଼ି ଚଢ଼ି ମନ୍ଦିରରେ ବେଢ଼ା ପରିକ୍ରମା କରିଥିଲେ, ଲିଙ୍ଗରାଜଙ୍କଠାରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ବାହାରେ ନିଜର ସ୍ୱାସ୍ଥ୍ୟ ଗୁଜବ ସମ୍ପର୍କରେ ଗଣମାଧ୍ୟମକୁ ରୋକଠୋକ୍ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବହୁତ ଖୁସି ଅଛି ଏବଂ ଓଡ଼ିଶାବାସୀଙ୍କ ସେବା କରୁଛି ।

ମନ୍ଦିରରୁ ବାହାରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ଗୁଜବ ଉପରେ ସାମ୍ବାଦିକମାନେ ପ୍ରଶ୍ନ କଲାରୁ ମୁଖ୍ୟମନ୍ତ୍ରୀ ଆଗ ବହେ ହସିଥିଲେ । କହିଥିଲେ, ଯେବେ ନିର୍ବାଚନ ଆସେ ମୋ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ଗୁଜବ କରାଯାଏ । କିନ୍ତୁ ମୁଁ ଆପଣ ସମସ୍ତଙ୍କୁ କହିରଖେ କି ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବହୁତ ଖୁସି ଅଛି ଏବଂ ଓଡ଼ିଶାବାସୀଙ୍କ ସେବା କରୁଛି ।

ପଞ୍ଚାୟତ ନିର୍ବାଚନରେ ବିରୋଧୀ ହାରିବା ଭୟରେ ଏଭଳି ଗୁଜବ ପ୍ରଚାର କରୁଛନ୍ତି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ମୁଖ୍ୟମନ୍ତ୍ରୀ ନିଜର ବିନମ୍ରତା ଦେଖାଇଥିଲେ । ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବାରୁ ଏହା ଉପରେ କିଛି କହିବା ଠିକ୍ ହେବ ନାହିଁ ବୋଲି କହିଥିଲେ । ତେବେ ଯେତେବେଳେ ଏଭଳି ଗୁଜବ କରାଯାଏ, ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ।
ପାହାଚ ଚଢ଼ି ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଲିଙ୍ଗରାଜ ମନ୍ଦିର ବୁଲା ଏବଂ ଗଣମାଧ୍ୟମରେ ନିଜର ସ୍ୱାସ୍ଥ୍ରାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ରୋକଠୋକ୍ ପ୍ରତିକ୍ରିୟା ପରେ ସ୍ୱାସ୍ଥ୍ୟ ଗୁଜବକାରୀଙ୍କୁ ଶକ୍ତ ଚାପଡ଼ା ଲାଗିଛି । ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସତ କ’ଣ ତାହା ବସ୍ତୁତଃ କଥା ଓ କାମରେ ଦେଖାଇଛନ୍ତି ।
ସୂଚନାଥାଉକି, ଗତ ମାସେ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଧୂମ୍ ଗୁଜବ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦେହ ବହୁତ ଖରାପ ଅଛି ଏବଂ ସେ ନବୀନ ନିବାସରୁ ବାହାରିବା ଅବସ୍ଥାରେ ନାହାନ୍ତି ବୋଲି ଗୁଜବକାରୀମାନେ ପ୍ରଚାର କରିଥିଲେ । ଏଥର ସୋସିଆଲ୍ ମିଡ଼ିଆରେ ସେମାନେ ସିଧାସଳଖ ନ ଆସି ଫୋନ୍ କଲ୍ ମାଧ୍ୟମରେ ପ୍ରଚାରକୁ ବ୍ୟାପକ କରିଥିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ଖୋଦ୍ ବିଜେଡ଼ି ଦଳର ନେତା, କର୍ମୀ ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଟୁପୁରୁ ଟାପର ହୋଇଥିଲା ।
ସମସ୍ତଙ୍କର ମନେ ଥିବ ଯେ ଏହା ପୂର୍ବରୁ ଗତ ଜାନୁଆରୀ ତୃତୀୟ ସପ୍ତାହରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏମିତି ଗୁଜବ ଖେଳିଥିଲା । ନିର୍ଦ୍ଦିଷ୍ଟ ଗୋଷ୍ଠୀ ସୋସିଆଲ୍ ମିଡ଼ିଆରେ ଏହାକୁ ପ୍ରଚାର କରି ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ମାତ୍ର ରାଜଧାନୀରେ ଅନୁଷ୍ଠିତ ମୁଖ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସବକୁ ମୁଖ୍ୟମନ୍ତ୍ରୀ ରାଜାଦର୍ପରେ ଚାଲି ଚାଲି ଯାଇ ସେଠାରେ ଯୋଗଦେବା ପରେ ଏହି ଗୁଜବର ଅବସାନ ଘଟିଥିଲା ।
ସନ୍ଦେହରେ ସାଂସଦ ଓ ପୂର୍ବତନ ସାଂସଦ: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗୁଜବକାରୀ କିଏ ତାହା ଉପରକୁ ସମସ୍ତଙ୍କ ନଜର ଚାଲିଯାଇଛି । ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା ଗତଥର ସୋସିଆଲ୍ ମିଡ଼ିଆ ପୋଷ୍ଟିଂରୁ ସ୍ପଷ୍ଟ ହୋଇଥିଲା । ଜଣେ ପୂର୍ବତନ ସାଂସଦ ଏବଂ ଆଉ ଜଣେ ବର୍ତ୍ତମାନର ସାଂସଦଙ୍କର ସେମାନେ ସ୍ତାବକ ହୋଇଥିବାରୁ ଗୁଜବ ପଛରେ ଏହି ସାଂସଦ ଏବଂ ପୂର୍ବତନ ସାଂସଦଙ୍କ ହାତ ଥିବା ସନ୍ଦେହ କରାଯାଉଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ ।
ବିରୋଧୀଙ୍କ ପ୍ରତିକ୍ରିୟା: ଅନ୍ୟପକ୍ଷରେ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଆଜି ନିଜ ସ୍ୱାସ୍ଥ୍ୟାବସ୍ଥାର ଗୁଜବ ଉପରେ ପ୍ରତିକ୍ରିୟା ରଖିଥିବାରୁ ବିରୋଧୀ ଶିବିରକୁ ହଜମ ହୋଇନାହିଁ । ବିଜେପି ଓ କଂଗ୍ରେସ ନେତାମାନେ ଏହାକୁ ବିଜେଡ଼ିର ପଞ୍ଚାୟତ ନିର୍ବାଚନ ପ୍ରଚାର ଷ୍ଟ୍ରାଟେଜି ବୋଲି କହିଛନ୍ତି । ଗୁଜବକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଓଲଟି ସେମାନେ ପ୍ରଶ୍ନ କରିଛନ୍ତି ।
https://youtu.be/iDsTRu3N0og






