ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶେଷ ହୋଇଛି । କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ୭୧% ମତଦାନ ହୋଇଥିବା ସେ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ କମିସନ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ନିର୍ବାଚନରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିବା କମିସନର କହିଛନ୍ତି ।
କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଭୋଟ କାର୍ଯରେ ବାଧା ସୃଷ୍ଟି ହୋଇଥିବା ନଜରକୁ ଆସିଛି । ଜଗତସିଂହପୁର ଏବଂ ଯାଜପୁରରେ କିଛି ବୁଥ୍ ରେ ଭୋଟଗ୍ରହଣ ପ୍ରକ୍ରିୟାରେ ବାଧା ଉପୁଜିଥିଲା । ୨/୩ ଟି ଜାଗାରେ ବ୍ୟାଲେଟ୍ ପେପର୍ ରେ ତ୍ରୁଟି ଥିବା ଯୋଗୁଁ ସେଠାରେ ପୁନଃ ମତଦାନ ହୋଇପାରେ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି ଏବଂ ରିପୋର୍ଟ ମିଳିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିସନର କହିଛନ୍ତି ।
ଶାନ୍ତିପୂର୍ଣ୍ଣ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ସହଯୋଗ କରିଥିବା ସମସ୍ତଙ୍କୁ କମିସନର ଧନ୍ୟବାଦ ଜଣାଇବା ସହ ଆଗାମୀ ପର୍ଯ୍ୟାୟରେ ଏଭଳି ସହଯୋଗ ଜାରି ରହିବ ବୋଲି ସେ ଆଶା କରିଛନ୍ତି ।
ସୂଚନାଥାଉକି, ୧୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ରେକର୍ଡ ହୋଇଥିଲା ।