ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଣଓଡ଼ିଆ ବିଶେଷକରି ଇଂରାଜୀ ଓ ହିନ୍ଦୀ ଭାଷାର ୱେବ୍ ମିଡିଆ ପ୍ରେମରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ ଡିଏଭିପି ନୀତିକୁ ଆଦରି ଓଡ଼ିଆ ୱେବ୍ ମିଡିଆକୁ ଅଣଦେଖା କରି ଦେଇଛନ୍ତି । ଓଡ଼ିଆ ୱେବ୍ ମିଡିଆକୁ ପ୍ରୋତ୍ସାହନ ଦେବା ବଦଳରେ ବିଭାଗୀୟ ଅଧିକାରୀମାନେ ଜାତୀୟସ୍ତରର ଡିଏଭିପି ନୀତିକୁ ଆଞ୍ଚଳିକ ସ୍ତରର ଓଡ଼ିଆ ୱେବ୍ ମିଡିଆ ପାଇଁ ଲାଗୁ କରିବାରୁ ତାଲିକାରୁ ଅନେକ ଓଡ଼ିଆ ୱେବ୍ ପୋର୍ଟାଲ୍ ବାଦ୍ ପଡ଼ିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓଡ଼ିଆ ଭାଷାର ପ୍ରସାରକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବାର ଉଦ୍ୟମ ଜାରି ରଖିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଓଲଟା ପଦକ୍ଷେପ ସମସ୍ତଙ୍କୁ ବିସ୍ମିତ କରିଛି ।
ଓଡ଼ିଶା ସରକାରଙ୍କ ବିଜ୍ଞାପନ ପାଇବା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିକଟ ଅତୀତରେ ପ୍ରସ୍ତୁତ ନୂଆ ତାଲିକାରେ ୪୦ ୱେବ୍ ମିଡିଆ ସ୍ଥାନ ପାଇଛନ୍ତି । ଯେଉଁଥିରେ ଅଧାରୁ ଅଧିକ ହେଉଛନ୍ତି ଜାତୀୟ ସ୍ତରର । କାଟାଗୋରି A, B, C, D ଅନୁଯାୟୀ ସେମାନଙ୍କୁ ତାଲିକାଭୁକ୍ତ କରାଯାଇଛି । କାଟାଗୋରି-A ରେ ୨୩, B ରେ ୩, C ରେ ୮ ଏବଂ D ରେ ୬ ଟି ୱେବ୍ ମିଡିଆ ଅଛନ୍ତି । ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାର ଡେଲିହଣ୍ଟକୁ ଛାଡ଼ିଦେଲେ A ତାଲିକାଭୁକ୍ତ ଶ୍ରେଣୀରେ ୧୧ଟି ଇଂରାଜୀ ୱେବ୍ ମିଡିଆ ଏବଂ ୮ଟି ହିନ୍ଦୀ ୱେବ୍ ମିଡିଆ ଅଛନ୍ତି । ସମସ୍ତେ ହେଉଛନ୍ତି ଜାତୀୟସ୍ତରର । ଏହି କାଟାଗୋରିରେ ଓଡିଆ ୱେବ୍ ପୋର୍ଟାଲ୍ ଭାବେ ଏକମାତ୍ର ଓଟିଭି ପୋର୍ଟାଲ୍ ରହିଛି ।
B କାଟାଗୋରିରେ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କେବଳ ଇଟିଭିଭାରତ ପୋର୍ଟାଲ୍ ଅଛି । ଅବଶିଷ୍ଟ ଦୁଇଟି ଯାକ ଇଂରାଜୀ ଭାଷାରେ ଜାତୀୟ ପୋର୍ଟାଲ୍ ।
C କାଟାଗୋରିରେ ଇଂରାଜୀ ଭାଷାରେ ଆଞ୍ଚଳିକସ୍ତରର ୪ଟି ଏବଂ ଓଡ଼ିଆର ୪ ଟି ୱେବ୍ ପୋର୍ଟାଲ୍ ଅଛି ।
D କାଟାଗୋରିର ୬ଟି ଯାକ ପୋର୍ଟାଲ୍ ହେଉଛି ଓଡ଼ିଆ ଭାଷାର ।
ସୂଚନାଥାଉକି, ଅଧିକାଂଶ ହେଉଛନ୍ତି ଟିଭି ଚାନେଲ୍ କିମ୍ବା ଖବରକାଗଜ ସଂସ୍ଥାର ସାଥୀ ୱେବ୍ ପୋର୍ଟାଲ୍ । ଅର୍ଥାତ୍ ଗୋଟିଏ ଗୋଟିଏ ମିଡିଆ ହାଉସ୍ ରୁ ଏକସଙ୍ଗେ ଟିଭି, ଖବରକାଗଜ ଏବଂ ପୋର୍ଟାଲ୍ କୁ ମିଳୁଛି ସରକାରୀ ବିଜ୍ଞାପନ ।
ଆଜି ବିଧାନସଭାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ ।
ତାଙ୍କର ପ୍ରଶ୍ନ ଥିଲା- (୧)ୱେବ୍ ମିଡିଆର ଏକ ତାଲିକା ପ୍ରସ୍ତୁତ ହୋଇଛି କି? ଯଦି ହଁ, ଏହା କେଉଁ ତାଲିକାର ଏବଂ ଏହା କେବେ କେଉଁ ଆଧାରରେ ପ୍ରସ୍ତୁତ ହୋଇଥିଲା ।
(୨)ତାଲିକାଭୁକ୍ତ ଏହି ୱେବ୍ ମିଡିଆଗୁଡ଼ିକୁ ୨୦୨୩ ଅକ୍ଟୋବର ମାସରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ କେତେ ପରିମାଣର ସରକାର ବିଜ୍ଞାପନ ପାଇଛନ୍ତି ତାହାର ଏକ ପୋର୍ଟାଲୱାରୀ ଓ ବିଜ୍ଞାପନୱାରୀ ତାଲିକା ପ୍ରକାଶ କରିବେ । ଏହା ସହିତ ଓଡ଼ିଆ ଭାଷାରେ କେଉଁ କେଉଁ ୱେବ୍ ମିଡିଆ ଏହି ତାଲିକାରେ ଅଛନ୍ତି ସେମାନଙ୍କୁ କେଉଁ ଆଧାରରେ ଚୟନ କରାଯାଇଛି ତାହା ଉଲ୍ଲେଖ କରିବେ?
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉତ୍ତରରେ କହିଛନ୍ତି ଯେ ୱେବ୍ ମିଡିଆର ଏକ ତାଲିକା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ ଡିଏଭିପିର ନିର୍ଦ୍ଧାରିତ ନୀତି ଅନୁସାରେ ୱେବ୍ ମିଡିଆଗୁଡ଼ିକ ନିମନ୍ତେ ଓଡ଼ିଶା ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି । ଏହି ନୀତି ଆଧାରରେ ୱେବ୍ ମିଡିଆଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି ।
ଏଥିସହ ମନ୍ତ୍ରୀ ୨୦୨୩ ଅକ୍ଟୋବର ମାସରୁ ଜାନୁଆରୀ ୧୫ ତାରିଖ ମଧ୍ୟରେ ତାଲିକାଭୁକ୍ତ ୱେବ୍ ପୋର୍ଟାଲ୍ ଗୁଡ଼ିକୁ ଦିଆଯାଇଥିବା ବିଜ୍ଞାପନର ତଥ୍ୟ ରଖିଥିଲେ । ମନ୍ତ୍ରୀଙ୍କ ତଥ୍ୟର ସାରାଂଶ ହେଉଛି ଯେ ଜାତୀୟ ସ୍ତରର (ଇଂରାଜୀ ଓ ହିନ୍ଦୀ) ଭାଷାର ୧୨ ଟି ୱେବ୍ ମିଡ଼ିଆକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ୪୨ ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଛି ।
ସେହିଭଳି ଆଞ୍ଚଳିକସ୍ତରରେ ୧୬ଟି ୱେବ୍ ମିଡିଆକୁ ୯ ଲକ୍ଷ ୨୦ ହଜାର ଟଙ୍କାର ବିଜ୍ଞାପନ ଦିଆଯାଇଛି । ସେଥିମଧ୍ୟରେ ୪ଟି ଇଂରାଜୀ ୱେବ୍ ମିଡିଆ ଏବଂ ୧୨ଟି ଓଡ଼ିଆ ୱେବ୍ ମିଡିଆ ରହିଛି ।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମୋଟ ୬ ଲକ୍ଷ ୩୦ ହଜାର ଟଙ୍କାର ବିଜ୍ଞାପନ ଦିଆଯାଇଛି ୯ଟି ଜାତୀୟ ୱେବ୍ ମିଡିଆକୁ ।
ସେହି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ବିଜ୍ଞାପନ ୪ଟି ଆଞ୍ଚଳିକ ୱେବ୍ ମିଡିଆକୁ ଦିଆଯାଇଛି । ସେଥିମଧ୍ୟରେ ଦୁଇଟି ଇଂରାଜୀ ଏବଂ ଦୁଇଟି ଓଡ଼ିଆ ୱେବ୍ ମିଡିଆ ରହିଛି ।
ଉଲ୍ଲେଖଥାଉକି, ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ, ୨୨ ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ଏବଂ ଫେବ୍ରୁଆରୀ ୩ ରୁ ୫ ଯାଏଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ସରକାରୀ ତାଲିକାଭୁକ୍ତ ଉକ୍ତ ୱେବ୍ ମିଡିଆଗୁଡ଼ିକୁ ମଧ୍ୟ ବିଜ୍ଞାପନ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହାର ହିସାବ ଜଣାପଡ଼ିବ । ତେବେ ଓଡ଼ିଆ ଭାଷାର ୱେବ୍ ପୋର୍ଟାଲ୍ ଗୁଡ଼ିକ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ଓଡ଼ିଆ ଲୋକଙ୍କୁ ତ୍ୱରିତ୍ ଖବର ଦେଉଥିବା ବେଳେ ସେମାନଙ୍କୁ ବିଜ୍ଞାପନରୁ ବଞ୍ଚିତ କରି ଜାତୀୟସ୍ତରରେ ଇଂରାଜୀ ଓ ହିନ୍ଦୀ ଭାଷାର ପୋର୍ଟାଲ୍ ଗୁଡ଼ିକୁ ଗୁରୁତ୍ୱ ଦେବା ପଛର କାରଣ ଅବୁଝା ରହିଛି । ସେ ବାବଦରେ କୋଟି କୋଟି ଖର୍ଚ୍ଚ କରିବା ରାଜ୍ୟ ସରକାରଙ୍କ କେଉଁ ଉଦ୍ଦେଶ୍ୟ ସାଧନ କରୁଛି ତାହା ବୁଝାପଡୁନାହିଁ ।