ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ତାଲିକାରେ ୧୦ ଅଧିକାରୀଙ୍କ ନାଁ ଅଛି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଔଷଧ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଶ୍ରୀ ଶର୍ମାଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ମୂଳ ଦାୟିତ୍ୱ ସହ ସେ ଗୃହ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ବୁଝୁଥିବା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ଏସଟି ଏବଂ ଏସସି ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଏମଏସଏମଇ ବିଭାଗ ଦିଆଯାଇଛି ।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଏସ.ଡି ଏବଂ ଟି.ଇ ବିଭାଗ ଏବଂ ଇପିକଲ୍ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ପୂର୍ବପରି ଅତିରିକ୍ତ ଦାୟିତ୍ୱରେ ରହିବେ । ଏଥିସହ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ।
କୃଷି ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ନିଯୁକ୍ତି ଦିଆଯାଇଛି ।
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀମତୀ ଅନୁ ଗର୍ଗ ଏହାର ଅତିରିକ୍ତ ଦାୟିତ୍ୱ ବୁଝୁଥିଲେ ।
ଭୂପିନ୍ଦର ସିଂହ ପୁନିଆଙ୍କୁ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସେ ଇପିକଲର ପରିଚାଳନା ନିର୍ଦ୍ଦେଶକ, ଶିଳ୍ୱ ବିଭାଗର ଅତିରିକ୍ତ ସଚିବ, ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।