ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଅଦଳବଦଳ କରିଛନ୍ତି । ୬ ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଚଳିତ ମାସରେ ଅବସର ନେଉଥିବା ଜିଭିଭି ଶର୍ମା ଏବଂ ମଧୁସୂଦନ ପାଢ଼ୀଙ୍କ ଦାୟିତ୍ୱ ଯଥାକ୍ରମେ ଆର.କେ. ଶର୍ମା ଏବଂ ସତ୍ୟବ୍ରତ ସାହୁଙ୍କୁ ପ୍ରଦାନ କରାଯାଇଛି । ସେହିଭଳି ଆସନ୍ତା ୧ ରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଉଥିବା ସଞ୍ଜୀବ ଚୋପ୍ରାଙ୍କ ଦାୟିତ୍ୱକୁ ଦେଓରଞ୍ଜନ କୁମାର ସିଂହ ଏବଂ ପ୍ରଦୀପ ଜେନାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି ।
୧୯୮୭ ବ୍ୟାଚ୍ ଅଧିକାରୀ ରାଜକୁମାର ଶର୍ମାଙ୍କୁ ରାଜସ୍ୱ ପର୍ଷଦ ସଭ୍ୟ ଭାବେ କଟକରେ ଅବସ୍ଥାପିତ କରାଯାଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଦାୟିତ୍ୱରେ ଥିବା ଜିଭିଭି ଶର୍ମା ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେବେ ।
୧୯୮୯ ବ୍ୟାଚ୍ ଅଧିକାରୀ ପ୍ରଦୀପ ଜେନାଙ୍କୁ କୃଷି ଉତ୍ପାଦନ କମିସନ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉନ୍ନୟନ କମିସନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଯୋଜନା ବିଭାଗର ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।
୧୯୯୧ ବ୍ୟାଚ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି । ଏହି ଦାୟିତ୍ୱରେ ଥିବା ମଧୁସୂଦନ ପାଢ଼ୀ ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଛନ୍ତି । ଶ୍ରୀ ସାହୁ ଏବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦାୟିତ୍ୱରେ ଅଛନ୍ତି । ତାଙ୍କ ହାତରୁ ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି ।
୧୯୯୩ ବ୍ୟାଚ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗରର ପ୍ରମୁଖ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଏଥିସହ ଓଏମସି ଏବଂ ଇଡିକଲ୍ ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।
୧୯୯୬ ବ୍ୟାଚ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ସେ କାର୍ଯ୍ୟ କରୁଛନ୍ତି । ଓଏସଏସଏସସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ବି ଅଛନ୍ତି । ତାଙ୍କ ହାତରୁ ଏସଟି ଏବଂ ଏସସି ବିଭାଗର ଅତିରିକ୍ତ ଦାୟିତ୍ୱକୁ କାଢ଼ି ନିଆଯାଇଛି ।
୨୦୦୬ ବ୍ୟାଚ୍ ଅଧିକାରୀ ଶ୍ରୀମତୀ ରୂପାରୋଶନ ସାହୁଙ୍କୁ ଏସଟି ଏବଂ ଏସସି ତଥା ଏମ ଆଣ୍ଡ ବିସିଡବ୍ଲୁ ବିଭାଗର କମିସନର ଏବଂ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ସେ ଅବସ୍ଥାପିତ ଅଛନ୍ତି । ଏଥିସହ ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ଏବଂ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।