ଭୁବନେଶ୍ୱର: ଆସନ୍ତା ନଭେମ୍ବର ୭ରେ କଳିଙ୍ଗ ସେନା ତାହାର ଦ୍ୱାବିଂଶତମ ପ୍ରତିଷ୍ଠା ଦିବସ ପାଳନ କରିବ । ଭୁବନେଶ୍ୱରସ୍ଥିତ କସ୍ତୁରବା ନାରୀ ମହଲରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଚଳିତବର୍ଷର କଳିଙ୍ଗ ରତ୍ନ ସମ୍ମାନ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ସୁସାହିତି୍ୟକ ଡକ୍ଟର ହୃଷିକେଶ ପଣ୍ଡାଙ୍କୁ ପ୍ରଦାନ କରାଯିବ । କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏଥିସହ ସ୍ୱର୍ଗତ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କୁ ମରଣୋତ୍ତର ସମ୍ମାନ ଏବଂ ସାମ୍ବାଦିକ ଭବାନୀ ମହାପାତ୍ର, ଯଯାତି ମହାନ୍ତି, ନଳିନୀ ପ୍ରଭା ସାହୁ, ମୌସୁମୀ ମହାନ୍ତି, ସମାଜସେବୀ ପ୍ରଭାତ ମହାରଣା, ମିଲିରାଣୀ ମିଶ୍ର, ରବିନ୍ଦ୍ର ବିଶ୍ୱାଳ, ନରେନ୍ଦ୍ର ସେନାପତି, ଦୀପକ କୁମାର ସାହୁଙ୍କୁ ସମ୍ମାନିତ କରାଯିବ ବୋଲି ଶ୍ରୀ ରଥ କହିଛନ୍ତି ।
ପ୍ରତିଷ୍ଠା ଦିବସ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ ରଥ କହିଛନ୍ତି, କଳିଙ୍ଗ ସେନା ଆସନ୍ତା ୭ ତାରିଖରେ ୨୨ ବର୍ଷରେ ପଦାର୍ପଣ କରିବ । ଓଡ଼ିଶାର ସ୍ୱାର୍ଥ ପାଇଁ ଏହି ଆଞ୍ଚଳିକ ଦଳ ନିରନ୍ତର ଲଢ଼େଇ କରୁଛି । ରାଜ୍ୟର ଯୁବଗୋଷ୍ଠୀଙ୍କଠାରୁ ଆରମ୍ଭ କରି କୃଷକ, ଶ୍ରମିକ, ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାର୍ଥର ସୁରକ୍ଷା ହେଉଛି କଳିଙ୍ଗ ସେନାର ପ୍ରାଥମିକ ଦାୟିତ୍ୱ ।
ସାମ୍ବାଦିକ ସମ୍ମିଳନୀରେ ସେନା ଉପସଭାପତି ବିଜୟ ରାଜ, ଅବଦୁଲ କୟୁମ୍ ଖାନ୍, ଇଂ ମନୋଜ ନାୟକ, ଇଂ ସ୍ୱାତୀଶ ରଞ୍ଜନ ସାହୁ, ସମ୍ପାଦକ ରଞ୍ଜିତ୍ ସାମଲ ଏବଂ ଆଶୁତୋଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।