ଭୁବନେଶ୍ୱର: ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ୍ ମ୍ୟାନେଜର(ସିଜିଏମ୍) ସରୋଜକାନ୍ତ ମହାନ୍ତି ଆଜି ଭିଜିଲାନସ୍ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଓଏଏସ୍ ବାବୁଜଣଙ୍କ ବିଭିନ୍ନ ଅସାଧୁ ଉପାୟରେ ନିଜର ନ୍ୟାଯ୍ୟ ଆୟଠାରୁ ୧୫୩% ଅଧିକ ସମ୍ପତ୍ତି କମାଇଛନ୍ତି । ଗତକାଲି ଭିଜିଲାନସର ୫ଟି ଟିମ୍ ଭୁବନେଶ୍ୱରର ଇଡକୋ ଟାୱାରରେ ଥିବା ଅଫିସ, ଚନ୍ଦ୍ରଶେଖରପୁରରେ ଥିବା ଘର, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାସ୍ଥିତ ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା ।
ତାଙ୍କର କଟକ ମହାନଦୀବିହାରରେ ୬୨୦୦ ବର୍ଗଫୁଟରେ ନିର୍ମିତ ତିନିମହଲା କୋଠା, ପୈତୃକ ଘର ବ୍ରହ୍ମବରଦାରେ ୩୩୦୦ ବର୍ଗଫୁଟରେ ନିର୍ମିତ ଦୁଇମହଲା କୋଠା, ଭୁବନେଶ୍ୱରର ଶୈଳଶ୍ରୀବିହାରରେ ପ୍ଲଟ୍ ନଂ ଜିଏ ୪୩୭ରେ ଥିବା ଅମ୍ରିତା ଆଲୟମ୍ ରେ ୩-ବିଏଚକେ ଫ୍ଲାଟ୍(ନଂ ୧୦୩), ବାରଙ୍ଗ ପାଟପୁରସ୍ଥିତ ମେଟ୍ରୋ ଉଡସ୍ ଟାୱାର୍ ନଂ-୧ରେ ଆଉ ଏକ ୩-ବିଏଚକେର ଫ୍ଲାଟ୍(ନଂ୨୦୧), ଭୁବନେଶ୍ୱର ଓ କଟକର ପ୍ରମୁଖ ଅଞ୍ଚଳରେ ୧୦ଟି ପ୍ଲଟ୍, ୭୦୩.୩୮ ଗ୍ରାମ୍ ର ସୁନା ଅଳଙ୍କାର, ୮୬୯ ଗ୍ରାମ୍ ର ରୂପା ଅଳଙ୍କାର, ୭୦.୫୫ ଲକ୍ଷ ଟଙ୍କା ବ୍ୟାଙ୍କ ଏବଂ ଇନସୁରାନ୍ସ ଜମା, ଗୋଟିଏ କାର ଏବଂ ଦୁଇଟି ଦୁଇଚକିଆ ଯାନ ସମେତ ୨୦.୮୮ ଲକ୍ଷ ଟଙ୍କା ମୁଲ୍ୟର ଆସବାବପତ୍ର ଅଛି ।






