ଭୁବନେଶ୍ୱର: ସରକାରଙ୍କ ବିନା ମଂଜୁରୀରେ କୌଣସି ନିଯୁକ୍ତି ନ ଦେବା ପାଇଁ ମ୍ୟୁନିସିପାଲ୍ ଆଇନରେ ବ୍ୟବସ୍ଥା ରହିଛି । ମାତ୍ର ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରେ ୭୮୮ ଜଣ କର୍ମଚାରୀଙ୍କୁ ବିନା ମଂଜୁରୀରେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତିରେ ବୈଧତା ନ ଥାଇ ଦୀର୍ଘ ୨୨ ବର୍ଷ ଧରି ବେଧଡ଼କ କାର୍ଯ୍ୟ କରୁଛନ୍ତି କର୍ମଚାରୀ । ଏମାନଙ୍କୁ ବେଆଇନ ନିଯୁକ୍ତି ଦେଇଛନ୍ତି ବିଏମସି କାଉନସିଲ୍ ଓ ଅଫିସରଙ୍କ ଅସାଧୁ ମେଣ୍ଟ । ଖୋଦ୍ ରାଜଧାନୀର ବିଏମସିରେ ଏହି ବେଆଇନ ନିଯୁକ୍ତିକୁ ସରକାର ବି ଆଖି ବୁଜିଦେଇଛନ୍ତି ।
ସୂଚନା ଅନୁଯାୟୀ, ୧୯୯୮ ମସିହା ଜାନୁଆରୀରେ ତତ୍କାଳୀନ ଭୁବନେଶ୍ୱର ମ୍ୟୁନିସିପାଲିଟିର ନିର୍ବାଚିତ ପରିଷଦର ସ୍ୱୀକୃତିରେ ୭୮୮ ଜଣ ବ୍ୟକ୍ତିଙ୍କୁ ସିଏଲଆର ନାମକରଣରେ ନିଯୁକ୍ତି ଦିଆଯାଇଥିଲା । ସେଥିରେ ସରକାରଙ୍କ ମଂଜୁର ନ ଥିଲା କି ଏଭଳି ପଦବୀ ସରକାରୀ ଡିସକିନାରୀରେ ନଥିଲା । ସାମୟିକ ଭାବେ ସେମାନଙ୍କୁ ମାତ୍ର ୪୪ ଦିନ ପାଇଁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଆଜିକୁ ୨୨ ବର୍ଷ ଅର୍ଥାତ୍ ୮୦୦୦ ଦିନ ଧରି ସେମାନେ ବିଏମସିରେ କାର୍ଯ୍ୟ କରୁଛନ୍ତି ।
ସେମାନଙ୍କ ଦରମା ବାବଦରେ ଏ ପର୍ଯ୍ୟନ୍ତ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ପୌରପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ପଛରେ ବୈଧତା ନାହିଁ । ପ୍ରତିବର୍ଷ ଅଡିଟ୍ ସଂସ୍ଥା ଏହି ଅନଧିକାର ଖର୍ଚ୍ଚ ଉପରେ ବାରମ୍ବାର ଆପତ୍ତି ଉଠାଇ ଆସୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା କାର୍ଯ୍ୟାନୁଷ୍ଠାନ ଦୂର କଥା, ଏହି ଆପତ୍ତିର ଅନୁପାଳନ ବିବରଣୀ ମଧ୍ୟ ଅଡିଟ୍ ସଂସ୍ଥାକୁ ଦିଆଯାଉନାହିଁ ।
ଉଲ୍ଲେଖଥାଉକି, ପୌରସଂସ୍ଥାର ତତ୍କାଳୀନ ନିର୍ବାହୀ ଅଧିକାରୀ ଏହି ବେଆଇନ ନିଯୁକ୍ତିଧାରୀ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୨୫୮ ଜଣଙ୍କୁ ପରବର୍ତ୍ତୀ ସମୟରେ ଚାକିରିରୁ ବିଦା କରିଦେଇଥିଲେ । ମାତ୍ର ନିର୍ବାଚିତ ପରିଷଦ ଏହାକୁ ହଜମ କରି ନ ଥିଲେ । ସେମାନଙ୍କୁ ବହୁତ ବାଧିଥିଲା । କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ କାଉନସିଲ୍ ରମାନଙ୍କର ଆପଣାର ଲୋକ । ଆପଣାର ଏଥିପାଇଁ ଯେ କିଏ ନିଜର ରକ୍ତର ସମ୍ପର୍କୀୟ ଥିଲେ ତ ଆଉ କିଏ ମୋଟା ନୋଟ୍ ରେ ମନ ଖୁସି କରାଇ ସମ୍ପର୍କରେ ଆସିଥିଲେ । ତେଣୁ ସେମାନଙ୍କ ଚାକିରି ଚାଲିଯିବା ସଂପୃକ୍ତ କାଉନସିଲ୍ ର ପାଇଁ ଯନ୍ତ୍ରଣାଦାୟକ ଥିଲା । ସୁତରାଂ ସେମାନଙ୍କ ଚାପରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ ପୌରସଂସ୍ଥା କର୍ତ୍ତୃପକ୍ଷ ।
କହିବା ବାହୁଲ୍ୟ ଯେ ଆଜି ଭୁବନେଶ୍ୱର ମହାନଗର ନିଗମ ନାଁରେ ପରିଚିତ ଏହି ସଂସ୍ଥା ରାଜ୍ୟର ଏକ ଅଗ୍ରଣୀ ପୌରସଂସ୍ଥା । ଅତୀତରେ ଏଭଳି ବେଆଇନ ନିଯୁକ୍ତି ପାଇଁ ପରିଷଦର ଅଧିକାର ନ ଥିଲା । ଏବେ ମଧ୍ୟ ଏଭଳି ବେଆଇନ କାର୍ଯ୍ୟର ପୁନରାବୃତ୍ତି ହେଉଛି । ଏଠି ସମସ୍ତେ ପାଠୁଆ ଓ ସବୁ ଜାଣୁଥିଲେ ମଧ୍ୟ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କାହାରି ସାହାସ ନାହିଁ ।
ଏଭଳି ବେଆଇନ ନିଯୁକ୍ତି ପ୍ରଦାନକାରୀ ନିର୍ବାଚିତ ଲୋକ ପ୍ରତିନିଧି ନିର୍ବାଚନରେ ପ୍ରାର୍ଥୀ ହେବା ଅଯୋଗ୍ୟ ବୋଲି ଆଇନରେ ଲେଖାଯାଇଛି । ବେଆଇନ ନିଯୁକ୍ତି ବାବଦ ଦରମା ଅର୍ଥ ସେମାନଙ୍କଠାରୁ ଭରଣା କରାଯିବ ଏବଂ ଦୁଇବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ଅଛି । ତଥାପି ସଂପୃକ୍ତ ପ୍ରତିନିଧି ନିର୍ବାଚନ ଲଢ଼ୁଛନ୍ତି ଏବଂ ଅଡିଟ୍ ରେ ଆପତ୍ତି ସତ୍ତ୍ୱେ ସେ ବାବଦ ଖର୍ଚ୍ଚ ସେମାନଙ୍କଠାରୁ ଆଦାୟ ହେଉନାହିଁ ।
ରାଜ୍ୟର ଛୋଟ ଛୋଟ ପୌରସଂସ୍ଥା ସରକାରୀ ଆଇନକାନୁନ ମାନିବେ ଅଥଚ ରାଜଧାନୀର ଭୁବନେଶ୍ୱର ମହାନଗର ନିଗମ ପାଇଁ ଆଇନ ଲାଗୁ ହେବ ନାହିଁ । ଏହା କି ପ୍ରକାର ବିଚାର ବୋଲି ଅନେକ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଟିକସଦାତାଙ୍କ ଟିକସ ଅର୍ଥକୁ ଏଭଳି ବେଆଇନ ଖର୍ଚ୍ଚ କରିବାକୁ ପାରିଷଦବର୍ଗ ଲାଇସେନ୍ସ ପାଇଛନ୍ତି କି? ସେମାନଙ୍କ ମତରେ ସରକାର ଏହାକୁ ଗମ୍ଭୀରତାର ସହ ନେଇ ଆଇନର କାର୍ଯ୍ୟକାରିତା ପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆଗକୁ ଏଥିପ୍ରତି ଯତ୍ନବାନ ହୋଇ ଗରିବ ଟିକସଦାତାଙ୍କ ଅର୍ଥର ସୁରକ୍ଷା ଦିଅନ୍ତୁ ବୋଲି ସେମାନେ କହିଛନ୍ତି ।