ଭୁୁବନେଶ୍ୱର: ନିଜର ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍ ଙ୍କୁ ରାଜ୍ୟ ସରକାର ସେଠାରୁ ହଟାଇ ଭୁବନେଶ୍ୱର ସଚିବାଳୟକୁ ବଦଳି କରିଛନ୍ତି । ମନୀଷଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେଠାରେ ଥିବା ୱାଇ ବିଜୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ଶ୍ରୀ ଅଗ୍ରୱାଲ୍ ସଙ୍ଗୀନ ମାମଲାରେ ଛନ୍ଦି ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି । ଏହି ସଙ୍ଗୀନ ଦଫା କହୁଛି, ଜିଲ୍ଲାପାଳ ତାଙ୍କର ବ୍ୟକ୍ତିଗତ ସହାୟକଙ୍କୁ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ସାକ୍ଷ୍ୟପ୍ରମାଣ ନଷ୍ଟ କରିଛନ୍ତି । ପ୍ରକୃତରେ ସେ ଦୋଷୀ ନା ନିଦେ୍ର୍ଦାଷ କୋର୍ଟ ଏହାର ବିଚାର କରିବେ । କିନ୍ତୁ ସେ ପର୍ଯ୍ୟନ୍ତ ଜିଲ୍ଲାପାଳ ଏହି ମାମଲାରେ ଅଭିଯୁକ୍ତ ।
ଗତବର୍ଷ ଡିସେମ୍ବରରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ । ପୁଲିସ ତାଙ୍କୁ ଖୋଜାଖୋଜି କଲାପରେ ନ ମିଳିବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଡିସେମ୍ବର ୨୮ ତାରିଖରେ ତାଙ୍କ ଶବ ମାଲକାନଗିରି ସତୀଗୁଡ଼ା ଡ୍ୟାମ୍ ରୁ ଉଦ୍ଧାର କରାଯାଇଥିଲା । ଦେବନାରାୟଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପତ୍ନୀ ଅଭିଯୋଗ ଆଣିଥିଲେ । ଏଥିରେ ଖୋଦ୍ ଜିଲ୍ଲାପାଳ ଓ ଅନ୍ୟ ତିନି କର୍ମଚାରୀ ସଂପୃକ୍ତ ବୋଲି ସେ ସିଧାସଳଖ ଅଭିଯୋଗ ଆଣି ସ୍ଥାନୀୟ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୧୧ ମାସ ପରେ କୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଜିଲ୍ଲାପାଳ ଓ ୩ କର୍ମଚାରୀଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି ।
ତେବେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ଜିଲ୍ଲାପାଳଙ୍କୁ ସରକାର ମାଲକାନଗିରିରୁ ବଦଳି କରି ଭୁବନେଶ୍ୱର ସଚିବାଳୟରେ ଅବସ୍ଥାପିତ କରିବା ଭୃକୁଞ୍ଚନ ସୃଷ୍ଟି କରିଛି । ଏହା ଦଣ୍ଡ ନା ପୁରସ୍କାର ବୋଲି ପ୍ରଶ୍ନ ଉଠିଛି । ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ସମାନ ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳଙ୍କୁ ଚାକିରିରୁ ସସପେଣ୍ଡ କରିବା ବଦଳରେ ଭୁବନେଶ୍ୱରକୁ ବଦଳି କରି ଆଣିବା ତାଙ୍କ ପାଇଁ ପୁରସ୍କାର ବୋଲି ବିଜେପି ଓ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି । ଶ୍ରୀ ଅଗ୍ରୱାଲ୍ ଙ୍କୁ ଚାକିରିରୁ ବିଦା କରି ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି ।