ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ହେବ ବାତ୍ୟା । ୨୪ ତାରିଖରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି । ବାତ୍ୟା ପ୍ରକୋପରେ ୨୩ରୁ ୨୭ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଆଣ୍ଡାମାନରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ । ଏହା ଘନୀଭୂତ ହୋଇ ୨୨ରେ ଅବପାତର ରୂପ ନେବ । ୨୩ ରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ୨୪ ତାରିଖ ସକାଳେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।
୨୩ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କିମି ପବନ ବହିବ । ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ବହିବ । ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ୍ ସମ୍ଭାବନା ନାହିଁ । ସିଭିୟର ସାଇକ୍ଲୋନ୍ ବା ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ ବୋଲି ଡ. ମହାପାତ୍ର କହିଛନ୍ତି । ତେବେ ୨୪ ଓ ୨୫ ତାରିଖ ଗୁରୁତ୍ୱପୂର୍ଣ୍ଣ । ସାମୁଦ୍ରିକ ଜୁହାର ଆସିପାରେ । ବାତ୍ୟା ବାତ୍ୟାକୁ ହେୟଜ୍ଞାନ କରିବା ଉଚିତ ନୁହେଁ । କାରଣ ଏକସଙ୍ଗେ ପ୍ରବଳ ବର୍ଷା, ପବନ ଓ ସାମୁଦ୍ରିକ ଜୁଆର ଆସିବ ବୋଲି ସେ କହିଛନ୍ତି ।
ଆସନ୍ତା ୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୨୪ ଓ ୨୫ ତାରିଖରେ ଅଧିକ ବର୍ଷା ହେବ । ଅଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ । କିଛି ସ୍ଥାନରେ ୨୦ ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ । ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ଡ. ମହାପାତ୍ର କହିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଧ୍ୟ ବାତ୍ୟା ସୂଚନା ଜାରି କରାଯାଇଛି । କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ବାତ୍ୟା ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ । ପ୍ରାଥମିକ ଆକଳନ ଅନୁସାରେ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ । ଲଘୁଚାପ ସୃଷ୍ଟି ହେବା ପରେ ୨୩ ରୁ ୨୭ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଜିଲ୍ଲାରେ ପ୍ରବଳ ବର୍ଷା ହେବ ।
ଏହି ସମ୍ଭାବ୍ୟ ବାତ୍ୟାର ନାଁ ‘ଦାନା’ ରହିବ । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ଦାନା ରହିବ ବୋଲି କୁହାଯାଉଛି । କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି । ଆରବୀ ଭାଷାରେ ‘ଦାନା’ ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି । ବାତ୍ୟା ଉପରେ ତୀକ୍ଷ୍ମଣ ନଜର ରଖିଛୁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନ ଦେଓରଂଜନ କୁମାର ସିଂ କହିଛନ୍ତି । ଆସନ୍ତାକାଲି ମୁକ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ବାତ୍ୟା ମୁକାବିଲା ଉପରେ ଆଲୋଚନ ହେବ ବୋଲି ଜଣାପଡ଼ିଛି ।