ଭୁବନେଶ୍ୱର: ଓଡ଼ିଶା ପାଇଁ ବାତ୍ୟା ବିପଦ ନାହିଁ । ସମ୍ଭାବ୍ୟ ବାତ୍ୟା ଉପକୂଳ ନ ଛୁଇଁ ସମାନ୍ତରାଳ ଭାବେ ଗତି କରିବ । ଧାମରାଠାରୁ ୨୦୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ୨୫ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଓ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଆଞ୍ଚଳିକ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତ ଓ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ । ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା । ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଲାଂଦେଶ ଉପକୂଳ ପାଖରେ ପହଞ୍ଚିବ ।
ଏସଆରସି ଶ୍ରୀ ଜେନା କହିଛନ୍ତି, ଏହା ୮ ଜିଲ୍ଲା ଉପରେ ପ୍ରଭାବ ପକାଇପାରେ । ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ୫୦/୬୦ କିମି ବେଗରେ ପବନ ବହିପାରେ । ୨୪ ତାରିଖରୁ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି ।