ଭୁବନେଶ୍ୱର: ଅଠସ୍ତରୀ ତମ ସ୍ୱାଧୀନତା ଦିବସ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସମାରୋହ ସହକାରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କାର୍ଯ୍ୟାଳୟ ପରିସର ରେ ଜାତୀୟ ପତାକା ଉତୋଳନ କରିଥିଲେ। ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଆୟୋଜିତ ସଭା ରେ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣ ବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୁ ମମତା ଜେନା . ବିଶିଷ୍ଟ ସଂଗ୍ରାମୀ ନୀଳମଣି ସାମଲଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ , ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁତ୍ର ଶିବନାରାୟଣ ମିଶ୍ର, ଭଦ୍ରକ ତାଳପଡାର ବିଶିଷ୍ଟ ସଂଗ୍ରାମୀ କୃପାସିନ୍ଧୁ ଦାଶଙ୍କ ନାତୁଣୀ କିରଣ ବାଳା ଦାଶ, ଏରସମା ର ବିଶିଷ୍ଟ ସଂଗ୍ରାମୀ ଭୀମଚରଣ ଦାସଙ୍କ ପୁତ୍ର ଶିବବ୍ରତ ଦାସ ଭୁବନେଶ୍ୱର ଲଷ୍ମୀସାଗରର ବିଶିଷ୍ଟ ସଂଗ୍ରାମୀ ଝୁଲ ଲେଙ୍କାଙ୍କ ପୁତ୍ର ବିଜୟ ଲେଙ୍କା, ବଡ଼ଚଣାର ବିଶିଷ୍ଟ ସଂଗ୍ରାମୀ ଭିକାରୀ ଚରଣ ମହାନ୍ତିଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ବିଶିଷ୍ଟ ସଂଗ୍ରାମୀ ହରି ବାରିକଙ୍କ ପୁଅ ହିମାଂଶୁ ବାରିକଙ୍କୁ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଉଦବୋଧନ ଦେଇ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି ପାଈଁ କାମ କରିବାକୁ ପରାମର୍ଶ ଦେଇଥିଲେ।
ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରାରମ୍ଭରେ କବିବର ରାଧାନାଥ ରାୟ ଙ୍କ ପ୍ରସିଦ୍ଧ ସର୍ବେସାଂ ନୋ ଜନନୀ ଭାରତ ସଂଗୀତ ଗାନ କରାଯାଇଥିଲା ଏବଂ ଭକ୍ତକବି ମଧୁସୂଦନ ଦାସ ଙ୍କ ଲୋକପ୍ରିୟ ତୁହି ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି ସଂଗୀତ ସହ ସଭା ସାଙ୍ଗ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେଡି ବିଧାୟକ , କର୍ମକର୍ତ୍ତା, ଭୁବନେଶ୍ୱର ମେୟର ପୂର୍ବତନ ମନ୍ତ୍ରୀ ବିଧାୟକ, କର୍ପୋରେଟର ଓ ଦଳୀୟ କର୍ମୀ ମାନେ ବହୁସଂଖ୍ୟାରେ ସାମିଲ ହୋଇ ଭାରତ ମାତାଙ୍କ ବନ୍ଦନା କରିଥିଲେ।
ନବୀନ ନିବାସ ଠାରେ ଶ୍ରୀ ପଟ୍ଟନାୟକ ସ୍କୁଲ ପିଲାମାନଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ।