ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ରାଜ୍ୟ ପୁଲିସର ମଙ୍ଗ ଧରିବେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର(ୱାଇ.ବି) ଖୁରାନିଆ । ରାଜ୍ୟ ସରକାର ଆଜି ତାଙ୍କୁ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଅସ୍ଥାୟୀ ଡିଜି ଅରୁଣ ଷଡ଼ଙ୍ଗୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ମୁଖ୍ୟ ଶାସନ ମନୋଜ ଆହୁଜାଙ୍କ ପରେ ଏବେ ଆଉ ଜଣେ ଅଣଓଡ଼ିଆ ପୁଲିସର ସର୍ବୋଚ୍ଚ ପଦରେ ନିଯୁକ୍ତି ପାଇଛନ୍ତି ।
ହରିଆଣାରେ ଜନ୍ମିତ ୱାଇ. ବି ଖୁରାନିଆ ଜଣେ ଦକ୍ଷ ପୁଲିସ ଅଫିସର ଭାବେ ଜଣାଶୁଣା । ଓଡ଼ିଶା କ୍ୟାଡରର ଏହି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସଏଫ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ଅଗଷ୍ଟ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ତାଙ୍କୁ ହଠାତ୍ ଓଡିଶା ଫେରାଇ ଦେଇଥିଲେ । ତାଙ୍କ ସହ ବିଏସଏଫ ଡିଜି ନୀତିନ ଅଗ୍ରୱାଲଙ୍କୁ ମଧ୍ୟ ତାଙ୍କର ମୂଳ କ୍ୟାଡର କେରଳକୁ ଫେରାଇ ଦେଇଥିଲେ । ଜମ୍ମୁ କଶ୍ମୀରରେ ବାରମ୍ବାର ଆତଙ୍କୀ ହମଲା ପାଇଁ ବିଏସଏଫର ଏହି ଦୁଇ ସର୍ବୋଚ୍ଚ କର୍ତ୍ତାଙ୍କୁ କେନ୍ଦ୍ର ସରକାର ସେମାନଙ୍କ ମୂଳ କ୍ୟାଡରକୁ ଫେରାଇ ଦେଲେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ମାତ୍ର ଏହାର ଦୁଇ ଦିନ ପରେ ୱାଇ.ବି ଖୁରାନିଆଙ୍କୁ ନଜରରେ ରଖି ରାଜ୍ୟ ସରକାର ଡିଜି ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ । ଖୁରାନିଆଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ଆଇପିଏସ ଅରୁଣ ରାୟ ଏବଂ ଏସ.ଏମ.ନରବଣେଙ୍କଠାରୁ ବାୟୋଡାଟା ମଗାଯାଇଥିଲା । ଏହା ଏକ ଔପଚାରିକତା ଥିଲା । ଆଜି ଶ୍ରୀ ଖୁରାନିଆଙ୍କୁ ରାଜ୍ୟ ସରକାର ଡିଜି ନିଯୁକ୍ତି କରିଛନ୍ତି ।
୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ୍ ଶ୍ରୀ ଖୁରାନିଆ ଚାକିରି କାଳ ଆରମ୍ଭରେ ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୁରଭଞ୍ଜ, ରାଉରକେଲାର ଏସପି ଥିଲେ । ପଦୋନ୍ନତି ପରେ ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ଥିଲେ । ପରେ ସମ୍ବଲପୁର ଓ ଏସଏପି ଆଇଜି ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱର-କଟକ ପୁଲିସ କମିସନର ଥିଲେ । କେନ୍ଦ୍ରୀୟ ଡେପୁଟେସନ୍ ରୁ ଓଡ଼ିଶା ଫେରିବା ବେଳେ ସେ ବିଏସଏଫ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ ।