ଭୁବନେଶ୍ୱର: ୧୮ ମାସର ମୋହନ ମାଝୀଙ୍କ ସରକାରରେ ସବୁଠାରୁ ଶକ୍ତିଶାଳୀ ନେତା ଭାବେ ଉଭା ହୋଇଛନ୍ତି ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁ । ଧର୍ମଶାଳାର ଏହି ସ୍ୱାଧୀନ ବିଧାୟକଙ୍କ ରାଜ୍ୟ ବିଜେପିରେ କାଟତି ସମସ୍ତଙ୍କୁ କାବା କରିଛି । ଖୁବ୍ କମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କର ଅତି ନିକଟତର ହୋଇଛନ୍ତି । ଯେଉଁଥିପାଇଁ ଉଭୟ ଦଳ ଓ ସରକାରରେ ତାଙ୍କର ଏବେ ପ୍ରବଳ ଆଧିପତ୍ୟ । ଏଇ ସରକାରରେ ତାଙ୍କ ପାଇଁ ଅସମ୍ଭବ କିଛି ନାହିଁ ବୋଲି ସମସ୍ତଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ସଦଳବଳେ ତାଙ୍କ ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ଯାଇଥିଲେ । ଘଟଗାଁରେ ବହୁ ପ୍ରତୀକ୍ଷିତ ମା’ ତାରିଣୀ ସମନ୍ୱିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦାୟିତ୍ୱ ବିଧାୟକ ଲିକୁ ସାହୁଙ୍କ ଉପରେ କୁଆଡ଼େ ପଡ଼ିଥିଲା । ଉପରେ ପଡ଼ି ସେ ଦାୟିତ୍ୱ ନେଇଥିଲେ ନା ଆୟୋଜକବାଲା ତାଙ୍କ ଉପରେ ପଡ଼ିଥିଲେ ତାହା ଯଦିଓ ଜଣାପଡ଼ିନାହିଁ, କିନ୍ତୁ ଲିକୁ ସାହୁ ଯେ ପାରିବାର ସେହି ବିଶ୍ୱାସ ଉପରବାଲାଙ୍କର ଥିଲା । ଗତକାଲି ଲିକୁ ତାହାକୁ ଶତ ପ୍ରତିଶତ ପ୍ରମାଣିତ କରିଛନ୍ତି ।







