ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ଡାଟା ବେସ୍ ପ୍ରସ୍ତୁତ ସରିଛି ।
ଆସନ୍ତା ସୋମବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମାନଙ୍କ ସହ କରୋନା ଟିକାକରଣ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ରାଜ୍ୟରେ କରୋନା ଟିକାକରଣ ପାଇଁ ୨୯ ହଜାର ଟିକାଦାନ କେନ୍ଦ୍ର ଚିହ୍ନଟ ହୋଇଛି । ଏହି ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ଅଛି । ତେବେ ରାଜ୍ୟକୁ କେଉଁ କମ୍ପାନୀର ଟିକା ଆସିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଟିକାକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।