ମୁମ୍ବାଇ: ଜାତୀୟସ୍ତରରେ ପୁଣି ଚମକିଲା ଓଡ଼ିଶା । ଓଡ଼ିଆ ଝିଅ ସୋନି ଜ୍ୟୋତିର୍ମୟୀ ନାୟକ ଚଳିତ ସିଜିନ୍ ର ଇଣ୍ଡିଆନ୍ ଆଇଡଲ୍ ମୁକୁଟ ପିନ୍ଧିଛନ୍ତି । ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬’ ର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ବିଜୟୀ ହୋଇଛନ୍ତି । ନିଜର ସୁମଧୁର କଣ୍ଠସ୍ୱର ଓ ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ସେ ଗ୍ରାଣ୍ଡ ଫିନାଲରେ ଅନ୍ୟ ୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଜ୍ୟୋତିର୍ମୟୀଙ୍କୁ “ଇଣ୍ଡିଆନ୍ ଆଇଡଲ୍ ୧୬’ ର ଚାମ୍ପିଅନ୍ ଟ୍ରଫି ସହ ୨୦ ଲକ୍ଷ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି ।
ଆଜି ଫାଇନାଲ୍ ମୁକାବିଲାରେ ଟପ୍-୩ ପ୍ରତିଯୋଗୀଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା । ତନିସ୍କ ଶୂକ୍ଲା ଏବଂ ମନରାଜ ବୀର ସିଂହଙ୍କ ଭଳି ପ୍ରତିଭାବାନ ଗାୟକଙ୍କୁ ପଛରେ ପକାଇ ଚାମ୍ପିଅନ୍ ହୋଇଥିଲେ ଜ୍ୟୋତିର୍ମୟୀ । ତାଙ୍କର ଏହି ସଫଳତା ପାଇଁ ସାରା ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ସବୁଆଡୁ ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଜ୍ୟୋତିର୍ମୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର ବାଉଁଶନଳା ଗ୍ରାମର ଝିଅ । ପିଲାଦିନୁ ସଙ୍ଗୀତ ପ୍ରତି ତାଙ୍କର ପ୍ରବଳ ରୁଚି ଥିଲା । ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ନିଜର ଦକ୍ଷତା ପ୍ରତିପାଦିତ କରି ସେ ଓଲିଉଡ୍ ରେ କଣ୍ଠଦାନ କରିଥିଲେ । ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରୁ ବି.ଟେକ୍ ଶେଷ କରିବା ପରେ ଚେନ୍ନାଇରୁ ମୁ୍ୟଜିକ୍ ଥେରାପି ଶିକ୍ଷା କରିଛନ୍ତି । ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ ମଞ୍ଚରେ ନିଜର ପ୍ରଥମ ଅଡିସନ୍ ରୁ ହିଁ ବିଚାରକ ଶ୍ରେୟା ଘୋଷାଲ୍, ବିଶାଳ ଦଦଲାନି ଏବଂ ବାଦଶାହଙ୍କୁ ମୁଗ୍ଧ କରିଥିଲେ ।