ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ପାଇଲଟ୍ କ୍ୟାପେଟନ୍ ସ୍ମିତ୍ ମଚ୍ଛରଙ୍କ ବୀରତ୍ୱର କାହାଣୀକୁ ନେଇ ଗର୍ବରେ ଫାଟି ପଡୁଛି ସାରା ଭାରତବର୍ଷ । ଏଭଳି ଜଣେ ସୁଯୋଗ୍ୟ ସନ୍ତାନକୁ ପାଇ ଆଜି ସବୁ ଭାରତୀୟ ଗର୍ବିତ । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଡ୍ରମ୍ପ ଏବଂ ଇସ୍ତ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କୁ ହୀରୋ ଆଖ୍ୟା ଦେଇଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତର ବୀର ସନ୍ତାନ କହି ସାଲ୍ୟୁଟ୍ ମାରିଛନ୍ତି । ଦେଶବିଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ସ୍ମିତଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି ।
ଜୋର୍ଡାନ୍-ଇସ୍ରାଏଲର ମଝି ଆକାଶରେ ଗତକାଲି ଘଟିଥିବା ଭୟାନକ ଓ ରୋମାଞ୍ଚକ ଘଟଣାରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଦୁବାଇରୁ ପ୍ରାୟ ୧୮୦ ଯାତ୍ରୀଙ୍କୁ ନେଇ ଇସ୍ରାଏଲର ତେଲ୍ ଅଭିଭ ଯାଉଥିବା ଫ୍ଲାଇଦୁବାଇର ଏଫଜେଡ-୧୦୭୩ ବିମାନରେ ଅଜବ ଘଟଣା ଦେଖିବାକୁ ମିଳିଲା । କକପିଟ୍ ରୁ ଶୁଭିଥିଲା ଚିତ୍କାର । ଘଟଣାଟି ୯/୧୧ ଭଳି ବିମାନ ଅପହରଣର ଆଶଙ୍କା ସୃଷ୍ଟି କରିଥିଲା । ମୁଖ୍ୟ ପାଇଲଟ କ୍ୟାପେଟନ୍ ସ୍ମିତ୍ ମଚ୍ଛରଙ୍କୁ ତାଙ୍କର ସହ-ପାଇଲଟି ଅତର୍କିତ ଭାବେ ବାରମ୍ବାର ଛୁରାମାଡ଼ କରିଥିଲେ । ସ୍ମିତ୍ ରକ୍ତାକ୍ତ ହୋଇ ବିମାନରୁ ନିୟନ୍ତ୍ରଣ ହରାଇବାରୁ ମାତ୍ର ୩୦ ସେକେଣ୍ଡରେ ବିମାନଟି ୧୪ ହଜାର ଫୁଟ୍ ତଳକୁ ଖସି ଆସିଥିଲା । ଯାତ୍ରୀମାନେ ଭୟରେ ଥରୁଥିବା ବେଳେ ସୁନିଶ୍ଚିତ ବିପଦ ଏଡ଼ାଇବା ପାଇଁ ସ୍ମିଥ୍ ସେହି ରକ୍ତାକ୍ତ ଅବସ୍ଥାରେ କୌଶଳକ୍ରମେ ଭିତରପଟୁ କକପିଟ୍ କୁ ଖୋଲିଦେଇଥିଲେ । ଫଳରେ ବିମାନରେ ଯାତ୍ରା କରୁଥିବା ଆଉ ଜଣେ ସହ-ପାଇଲଟ୍ ଅନ୍ୟ କ୍ରୁ ସଦସ୍ୟଙ୍କ ସହ ମିଶି ବିମାନକୁ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲେ ।
କ୍ୟାପେଟନ୍ ସ୍ମିତ୍ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଯାତ୍ରୀ ଭାବେ ଯାଉଥିବା ଜଣେ ଦାନ୍ତ ଡାକ୍ତର ତାଙ୍କର ଆଶୁ ଚିକିତ୍ସା କରିବାରୁ ତାଙ୍କର ଜୀବନ ବଞ୍ଚିଯାଇଥିବା କୁହାଯାଉଛି । ଏବେ ତାଙ୍କର ଚିକିତ୍ସା ଚାଲିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭାରତୀୟ ପାଇଲଟ ସ୍ମିତ୍ ମଚ୍ଛରଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି । ତାଙ୍କର ଅସାଧାରଣ ସାହସିକତା ପାଇଁ ମୁଁ ତାଙ୍କୁ ସାଲ୍ୟୁଟ୍ କରୁଛି ବୋଲି କହିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ମଧ୍ୟ ସ୍ମିତ୍ ଙ୍କ ସାହସିକତାକୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାପେଟନ୍ ସ୍ମିତ୍ ଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ସ୍ମିତଙ୍କ ଅଦମ୍ୟ ସାହାସ ପୂରା ବିଶ୍ୱକୁ ଗର୍ବିତ କରିଛି ବୋଲି ସେ କହିଛନ୍ତି । ଦିଲ୍ଲୀରେ ୟୁପିଏସସିର ଶତବାର୍ଷିକୀ ଉତ୍ସବରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶକୁ ଗୌରବାନ୍ୱିତ କରିଥିବାରୁ ମୁଁ ତାଙ୍କୁ ସାଲ୍ୟୁଟ୍ କରୁଛି । ସ୍ମିତଙ୍କ ଧୈର୍ଯ୍ୟ, ଉପସ୍ଥିତି ବୁଦ୍ଧି ଓ ସାହାସ ବାସ୍ତବରେ ପ୍ରଶଂସନୀୟ । ଆଉ ଏକ ୯/୧୧ ଭଳି ଟ୍ରାଜେଡିକୁ ସେ ରୋକି ପାରିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
କିଏ ସେହି ସ୍ମିତ୍
ଗୁଜୁରାଟରେ ଜନ୍ମିତ ସ୍ମିତ୍ ମଚ୍ଛର ହେଉଛନ୍ତି ମୁମ୍ବାଇ ବାସିନ୍ଦା । ୨୦୨୨ ମସିହାରେ ଫ୍ଲାଏ ଦୁବାଇରେ ଯୋଗଦେବାପରଠୁ ଦୁବାଇରେ ରହୁଛନ୍ତି । ପିଲାଦିନୁ ପାଇଲଟ ହେବାର ଅଭିଳାଷ ନ ଥିବା ସ୍ମିତ୍ ଟେକ୍ସଟାଇଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କଲା ପରେ ମ୍ୟାନେଜମେଣ୍ଟ ପାଠ ପଢ଼ୁଥିଲେ । ସେହି ସମୟରେ ଏକ ଏଭିଏସନ୍ ସେମିନାରରେ ଯୋଗଦେବା ପରେ ତାଙ୍କ ଜୀବନର ଗତିପଥ ବଦଳି ଯାଇଥିଲା । ୨୦ ବର୍ଷ ବୟସରେ ତାଙ୍କର ଆଭିଏସନ୍ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ପାଇଲଟ୍ ଟ୍ରେନିଂ ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲେ । ପାଇଲଟ୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ ସ୍ପାଇସଜେଟ୍ ରେ । ସେଠାରେ ୧୧ ବର୍ଷରୁ ଅଧିକ ସମୟ କାମ କରି ୯,୫୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ହାସଲ କରିଥିଲେ । ସେଥିରୁ ୬,୪୦୦ରୁ ଅଧିକ ଘଣ୍ଟା ପାଇଲଟ-ଇନ୍-କମାଣ୍ଡ ଭାବେ ଉଡ଼ାଣ କରିଛନ୍ତି । ପ୍ରଥମେ ସିନିୟର କମାଣ୍ଡର ଓ ପରେ ଫ୍ଲାଇଂ ଟ୍ରେନିଂ କ୍ୟାପେଟନ୍ ଭାବେ କାମ କରିଥିଲେ । ୨୦୨୨ରେ ଫ୍ଲାଏ ଦୁବାଇରେ ଡାଇରେକ୍ଟ ଏଣ୍ଟ୍ରି କ୍ୟାପେଟନ୍ ଭାବେ ଯୋଗ ଦେଇଥିଲେ । ତାଙ୍କର ୧୩ ବର୍ଷରୁ ଅଧିକ କମର୍ସିଆଲ୍ ବିମାନ ଉଡ଼ାଣର ଅଭିଜ୍ଞତା । ୯୭୫୦ ବୋଇଂ ଫ୍ଲାଇଂ ଅଭିଜ୍ଞତା ମଧ୍ୟ ଅଛି ।