ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ନେବାକୁ ଆବେଦନ କରିଛନ୍ତି । ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ଚାକିରି ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିବା ଦର୍ଶାଇଛନ୍ତି । ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ସମଗ୍ର ଦେଶରେ ଝଡ଼ ବୋହୁଥିବା ବେଳେ ଗୋପାଳନଙ୍କ ଭିଆରଏସ୍ ଆବେଦନ ଚର୍ଚ୍ଚାର ବିଷୟ ହୋଇଛି । ଜନଆକ୍ରୋଶରୁ ମୁକ୍ତ ହେବା ପାଇଁ ହୁଏତ ସେ ଚାକିରି ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
୨୦୦୧ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ଗୋପାଳନ । ଗତ ଦୁଇବର୍ଷ ଧରି ସେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ନିର୍ବାଚନ କମିଶନଙ୍କ ରାଜ୍ୟ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟରେ ଏସଆଇଆର ପ୍ରକ୍ରିୟା ତାଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଛି । ଏହି ପ୍ରକ୍ରିୟାରେ ୨୦ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡ଼ିଛନ୍ତି । ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଗୁରୁତର ଅଭିଯୋଗମାନ ରହିଛି ।
ସାରା ଦେଶରେ ଏହି ପ୍ରକ୍ରିୟାକୁ ନେଇ ବିରୋଧାଭାସ ଜାରି ରହିଥିଲା ବେଳେ ଦେଶର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଭୂମିକା ଭୟଙ୍କର ବିବାଦକୁ ଆସିଛି । ତାଙ୍କର ଇସ୍ତଫା ଦାବିରେ ଦେଶ ହୁଲସ୍ତୁଲ ହେଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏସଆଇଆର ପ୍ରସଙ୍ଗରେ ଚିଠି ଲେଖିସାରିଲେଣି ।
ଠିକ୍ ଏହି ସମୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନଙ୍କ ଭିଆରଏସ୍ ଆବେଦନକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ ।