ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ ହେବ । ନଭେମ୍ବର ୨ ପର୍ଯ୍ୟନ୍ତ ଏହା ମାସେବ୍ୟାପୀ ଚାଲିବ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଏହି ଜନସମ୍ପର୍କ ପଦଯାତ୍ରା ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ନିଆଯାଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ଅବତାରଣା କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନରେ ଚରମ ବିଫଳତା, ମହିଳାମାନଙ୍କୁ ପ୍ରତାରଣା ଓ ନିର୍ଯ୍ୟାତନା, ଆଇନଶୃଙ୍ଖଳା ଅଧୋଗତି, ତ୍ରିସ୍ତରୀୟ ବ୍ୟବସ୍ଥାର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଅଭିସନ୍ଧି, ଚାଷୀମାନଙ୍କ ସମସ୍ୟା ପ୍ରତି ବିମୁଖତା, ଯୁବସମାଜ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା, ଦରଦାମ ବୃଦ୍ଧି, ଏସସି/ଏସଟି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କୁ ଉପେକ୍ଷା, ବୁଢ଼ାବୁଢ଼ୀ ଭିନ୍ନକ୍ଷମଙ୍କୁ ଭତ୍ତା ଦେବାରେ ପ୍ରତାରଣା ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।
ସଂଶୋଧିତ କଳା ଏମଏମଡିଆର, ପାଠ୍ୟପୁସ୍ତକ ମହାବିଭ୍ରାଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଥର ଜନସମ୍ପର୍କ ଅଭିଯାନରେ ସ୍ଥାନ ପାଇବ ।
ପାର୍ବଣ ବ୍ୟତୀତ ମାସେବ୍ୟାପୀ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳମାନଙ୍କରେ ଏହି ଜନସମ୍ପର୍କ ପଦଯାତ୍ରା ଅଭିଯାନ ପାଳନ କରାଯିବ । ତୃଣମୂଳସ୍ତରର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ତଥା ସକ୍ରିୟ ସଦସ୍ୟ,ସଦସ୍ୟା ଓ ସ୍ଥାନୀୟ ଅଧିବାସୀଙ୍କୁ ସମ୍ପୃକ୍ତ କରି ପାଳନ କରିବାକୁ ଦଳ ପକ୍ଷରୁ କୁହାଯାଇଛି । ଏହି ଅଭିଯାନକୁ ସଫଳ କରିବା ପାଇଁ ମାସେବ୍ୟାପୀ କାର୍ଯ୍ୟକ୍ରମର ରୂପରେଖ ବ୍ଲକ/ନଗର କାର୍ଯ୍ୟକାରିଣୀରେ ଆଲୋଚନା କରି ନିର୍ଦ୍ଧାରଣ କରିବେ ।
ଏହି କାର୍ଯ୍ୟକ୍ରମଗୁଡ଼ିକୁ ସ୍ଥାନୀୟ ନିର୍ବାଚନମଣ୍ଡଳୀ ନେତୃତ୍ୱ ପ୍ରତ୍ୟକ୍ଷ ପରିଚାଳନା କରିବେ ଓ ଜିଲ୍ଲା ସଭାପତି ଓ ରାଜ୍ୟ କର୍ମକର୍ତ୍ତା ତଦାରଖ କରିବେ । ସମସ୍ତ କାର୍ଯ୍ୟକ୍ରମର ବିବରଣୀ ଭିଡିଓ ଫଟୋ ରାଜ୍ୟ ସଭାପତିଙ୍କ ଅବଗତ ନିମନ୍ତେ ପଠାଇବାକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳର ସମସ୍ତ କର୍ମକର୍ତ୍ତା, ସାଂସଦ, ବିଧାୟକ, ପରାଜିତ ପ୍ରାର୍ଥୀମାନଙ୍କୁ ପତ୍ର ଲେଖିଛନ୍ତି ।