ଭୁବନେଶ୍ୱର: ଭାରତୀୟ ମହାକାଶ ବିଜ୍ଞାନରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି । ଚନ୍ଦ୍ର ଅଭିଯାନରେ ଭାରତକୁ ମିଳିଛି ସଫଳତା । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଆଜି ସଫଳତାର ସହ ଉତକ୍ଷେପଣ କରିଛି ଚନ୍ଦ୍ରଯାନ-୩ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ଏହାର ଉତକ୍ଷେପଣ ହୋଇଛି । ଅପରାହ୍ନ ୨ଟା ୩୫ ମିନିଟ୍ ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ୍ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ଏଥିସହ ଇତିହାସ ରଚିଛି ଭାରତ ।
ବିଶାଳକାୟ ଏଲଭିଏମ-୩-ଏମ୪ ରୁ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରାଯାଇଥିଲା । ଏହାର ଉଚ୍ଚତା ୪୩.୫ ମିଟର ଏବଂ ଓଜନ ୬୪୨ ଟନ୍ । ଅଗଷ୍ଟ ୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପହଞ୍ଚିବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ଅବତରଣ କରିବ ।
ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ପରେ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଖୁସି ପ୍ରକଟ କରିବା ସହ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚନ୍ଦ୍ରଯାନ-୩ ଭାରତୀୟ ମହାକାଶ ବିଜ୍ଞାନରେ ଏକ ନୂଆ ଅଧ୍ୟାୟ । ପ୍ରତି ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷକୁ ନେଇ ଏହା ଉପରକୁ ଉଠିଛି । ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ଉଦାହରଣ । ମୁଁ ସେହି ବୈଜ୍ଞାନିକଙ୍କ ଇଚ୍ଛାଶକ୍ତି ଓ ପ୍ରତିଭାକୁ ସଲାମ୍ କରୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।