ନୂଆଦିଲ୍ଲୀ/ଭୁବନେଶ୍ୱର: ଆଶଙ୍କା ସତ ହେଲା । ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା କୋଭିଡ୍ ର ‘ଓମିକ୍ରନ୍’ ଭାରିଏଣ୍ଟ ଏବେ ଭାରତରେ ପଶିଛି । କର୍ଣ୍ଣାଟକରେ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ପ୍ରେସମିଟ୍ ରେ ଏହି ସୂଚନା ଦିଆଯାଇଛି । ବିଶ୍ୱର ୩୦ତମ ରାଷ୍ଟ୍ର ଭାବେ ଭାରତରେ ଓମିକ୍ରନ୍ ଭାରିଆଣ୍ଟ ପ୍ରବେଶ କରିଛି ।
ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଉଛନ୍ତି ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ । ୬୬ ବର୍ଷୀୟ ଆକ୍ରାନ୍ତ ଜଣେ ବିଦେଶୀ ଏବଂ ତାଙ୍କର ଦକ୍ଷିଣ ଆଫ୍ରିକା ଟ୍ରାଭଲ୍ ହିଷ୍ଟ୍ରି ଅଛି । ୪୬ ବର୍ଷୀୟ ଆକ୍ରାନ୍ତ ବେଙ୍ଗାଲୁରୁର ଜଣେ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେସନ୍ ରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସମସ୍ତ କଣ୍ଟାକ୍ଟଙ୍କ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।
ଉଭୟଙ୍କ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେମାନଙ୍କଠାରେ କୌଣସି ଗୁରୁତର ଲକ୍ଷଣ ନାହିଁ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି । ଓମିକ୍ରନ୍ ଚିହ୍ନଟ ହୋଇଥିବାରୁ ଆତଙ୍କିତ ହେବାର କାରଣ ନାହିଁ । ତେବେ ଏଥିପାଇଁ ସତର୍କ ରହିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବଙ୍କ ସୂଚନା ଅନୁଯାୟୀ, ଓମିକ୍ରନ୍ ଭାରିଏଣ୍ଟ ୨୯ ଦେଶକୁ ବ୍ୟାପିଗଲାଣି । ଏସବୁ ଦେଶରେ ୩୭୩ ଜଣ ଓମିକନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲଟା ଭାରିଏଣ୍ଟଠାରୁ ଏହା ଅଧିକ ଘାତକ କି ନୁହେଁ ତାହା ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ଏଥିରୁ ବର୍ତ୍ତିବା ପାଇଁ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ସେ ନିବେଦନ କରିଛନ୍ତି । କୋଭିଡ୍ -୧୦ ଟାକ୍ସଫୋର୍ସ ଅଧ୍ୟକ୍ଷ ଡକ୍ଟର ଭି.କେ. ପଲ୍ ଏହି କଥାକୁ ଦୋହରାଇଛନ୍ତି । ଜନଗହଳି ସ୍ଥାନକୁ ଆଦୌ ନ ଯିବା ଏବଂ ନିଶ୍ଚିତ ଟିକା ନେବା ପାଇଁ ସେମାନେ ସତର୍କ କରାଇଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଡେଲଟା ଭାରିଏଣ୍ଟପ୍ରବେଶ କରିଥିଲା । କୋଭିଡ୍ ର ଡେଲଟା ଭାରିଏଣ୍ଟ ଦ୍ୱିତୀୟ ଲହର ଆଣି ବହୁତ ମାରାତ୍ମକ ସାବ୍ୟସ୍ତ ହୋଇଥିଲା । ଏଥର ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଏଣ୍ଟ , ଡେଲଟାଠାରୁ ୬ ଗୁଣା ଅଧିକ ସଂକ୍ରମଣ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତ ଆସିନାହିଁ । ତେବେ ଏହା ତୃତୀୟ ଲହର ଆଣୁଛି କି ନା ଏବଂ ଟିକା ଏହାକୁ ପ୍ରତିରୋଧ କରିପାରୁଛି କି ନା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସର୍ବୋପରି ଓମିକ୍ରନ୍ ବିପଦରୁ ରକ୍ଷା ପାଇବା ପାଇଁ କୋଭିଡ୍ ନିୟମ ମାନିବା ଶ୍ରେୟସ୍କର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।