ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୬ ଟି ଖଣ୍ଡାଲାଇଟ୍ ଖଣି ସଂରକ୍ଷିତ ରଖିଛନ୍ତି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେଥିରୁ ୩ଟି ଖଣି ଉଭାନ ହୋଇଯାଇଛି । କାହିଁକି ନା, ସରକାରଙ୍କ ପାଖରେ ଏହି ଖଣିଗୁଡ଼ିକର ତଥ୍ୟ ନାହିଁ । ଟିକେ ବଙ୍କେଇ ବୁଝିଲେ, ତାହା ଲୁଟେରାଙ୍କ କବଳରେ ପଡ଼ିଯାଇଛି । ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଥିବା ଏହି ଖଣ୍ଡାଲାଇଟ୍ ପଥର ବିକ୍ରି ବାବଦରେ ୨୧ କୋଟି ୧୪ ଲକ୍ଷ ଟଙ୍କା ଅସୁଲ ହୋଇଥିଲେ ମଧ୍ୟ ବେଳେ ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠିକୁ ଆସିଛି ୪ କୋଟି ୨୦ ଲକ୍ଷ ଟଙ୍କା । ଅବଶିଷ୍ଟ ୧୭ କୋଟି ଟଙ୍କାର ହିସାବ ସରକାରଙ୍କ ପାଖରେ ନାହିଁ । ଅର୍ଥାତ୍, ସେହି ଟଙ୍କା ବି ଚଳୁ ହୋଇଥାଇପାରେ ।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ ମୂଲ୍ୟବାନ ଖଣ୍ଡାଲାଇଟ୍ ପଥର ଖଣିକୁ ପୂର୍ବ ସରକାର ଅମଳରେ କିଭଳି ମନମାନି କରାଯାଇଛି, ତାହାର ସାଂଘାତିକ ତଥ୍ୟ ସାମନାକୁ ଆସିଛି ।
୨୦୧୯ ମସିହାରେ ‘ଅବଢ଼ା’ ଯୋଜନାରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ପୁରୀକୁ ବିଶ୍ୱ ଐତିହ୍ୟ ନଗର ଭାବେ ଗଢ଼ିତୋଳିବା କାର୍ଯ୍ୟରେ ଖଣ୍ଡାଲାଇଟ୍ ପଥରର ବ୍ୟବହାର ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ଖଣି ନିଗମ ଜରିଆରେ ୬ ଟି ଖଣି ବା ଖଣ୍ଡାଲାଇଟ୍ ବ୍ଲକ୍ ସଂରକ୍ଷିତ ରଖିଥିଲେ । ଯାଜପୁର ଜିଲ୍ଲାର ଚାନ୍ଦିଆ, ଶୁଖୁପଡ଼ା ଏବଂ ତେଲିଗଡ଼, କଟକ ଜିଲ୍ଲାର ଗୋବିନ୍ଦପୁର ଏବଂ ଖୋର୍ଦ୍ଧା ଜିଲ୍ଲାର କୁରୁମପଡ଼ା ଏବଂ ନାରଣଗଡ଼ରେ ଏହି ଖଣି ଅବସ୍ଥିତ । ସେହି ୬ଟି ଖଣିରୁ ସଂରକ୍ଷିତ ଦିନଠାରୁ ଏ ପର୍ଯ୍ୟନ୍ତ କେତେଗୋଟି ଖଣ୍ଡାଲାଇଟ୍ ପଥର ବାହାରିଛି, ପୁରୀ ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ କେତେ ଖଣ୍ଡାଲାଇଟ୍ ପଥର ବ୍ୟବହାର କରାଯାଇଛି ଓ ଅନ୍ୟତ୍ର କେତେ ଖଣ୍ଡାଲାଇଟ୍ ପଥର ଉପଯୋଗ/ବିକ୍ରୀ କରାଯାଇଛି ତାହାର ତଥ୍ୟ ଜାଣିଲେ ଆପଣଙ୍କ ମୁଣ୍ଡ ଘୂରାଇ ଦେବ ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଅନୁମୋଦିତ ୬ ଟି ଖଣ୍ଡାଲାଇଟ୍ ଖଣି ମଧ୍ୟରୁ ୨ଟି ଖଣି ଯଥା ନରଣଗଡ଼ ଏବଂ ଗୋବିନ୍ଦପୁର କାର୍ଯ୍ୟକ୍ଷମ ଥିବା ବେଳେ ଶୁଖୁଆପଡ଼ା ଖଣି ଅକ୍ଟୋବର ୨୦୨୨ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି । ସଂରକ୍ଷିତ ଦିନଠାରୁ ପର୍ଯ୍ୟାୟକ୍ରମେ ଏ ପର୍ଯ୍ୟନ୍ତ ଅର୍ଥାତ ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ଖଣ୍ଡାଲାଇଟ୍ ପଥର ପରିମାଣ ୨୪,୭୪୧.୭୩୧ ଘନ ମିଟର ସାଇଜଡ୍ ଏବଂ ୧୮,୪୬୪,୬୧୧ ଘନ ମିଟର ଅନସାଇଜଡ ଖଣ୍ଡାଲାଇଟ୍ ପଥର ଉତ୍ତୋଳନ କରାଯାଇଛି ।
ଏହି ସମୟରେ ୧୭,୦୦୫.୪୯୬ ଘନ ମିଟର ଖଣ୍ଡାଲାଇଟ୍ ପଥର ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ତଥା ପୁରୀ ସହରର ପାରିପାଶ୍ୱିର୍କ ଉନ୍ନତି ପାଇଁ ଯୋଗାଇ ଦିଆଯାଇଛି । ଅନ୍ୟତ୍ର ୫,୭୫୫,୯୫୮ ଘନ ମିଟର ଖଣ୍ଡାଲାଇଟ୍ ପଥର ରାଜ୍ୟ ସରକାରଙ୍କ ଅଧିନସ୍ଥ ବିଭିନ୍ନ ମନ୍ଦିର ଓ ପ୍ରକଳ୍ପଗୁଡ଼ିକୁ ଯୋଗାଇ ଦିଆଯାଇଛି ।
ତେବେ ଦୁଇଟି ଖଣି କାର୍ଯ୍ୟକ୍ଷମ ଏବଂ ଗୋଟିଏ ଖଣି ବନ୍ଦ ରହିଥିବା କୁହାଯାଇଥିଲା ବେଳେ ଅନ୍ୟ ତିନୋଟି ଖଣି ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଏହାର ରହସ୍ୟ କ’ଣ? ଏହି ତିନୋଟି କାର୍ଯ୍ୟକ୍ଷମ ନା ବନ୍ଦ ରହିଛି? ଏ ସମ୍ପର୍କରେ ସରକାର ନିରବ କାହିଁକି? ତିନୋଟି ଯାକ ଖଣି ଉଭାନ ହୋଇଗଲେ କେମିତି? କି ତାହାକୁ ଅନ୍ଧାରରେ ରଖି ଲୁଟା ଚାଲିଛି?
ଆହୁରି ଗୁରୁତର କଥା ହେଉଛି, ଉକ୍ତ ସମୟ ମଧ୍ୟରେ ସମୁଦାୟ ଖଣ୍ଡାଲାଇଟ୍ ପଥର ବିକ୍ରି ବାବଦରେ ମୋଟ ୨୧କୋଟି ୧୪ ଲକ୍ଷ ୮୮ ହଜାର ୬୯୦ ଟଙ୍କା ଆଦାୟ କରାଯାଇଛି । ଏହି ଅର୍ଥରୁ ୪ କୋଟି ୨୦ ଲକ୍ଷ ୫୨ ହଜାର ୫୧୪ ଟଙ୍କା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ପୈଠ କରାଯାଇଛି । ମାତ୍ର ଖଣ୍ଡାଲାଇଟ୍ ପଥର ବିକ୍ରି ଲବ୍ଧ ଅର୍ଥରୁ ଅବଶିଷ୍ଟ ୧୭ କୋଟି ଟଙ୍କା ଗଲା କୁଆଡ଼େ ତାହାର କୌଣସି ଉତ୍ତର ନାହିଁ ।
ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଏବଂ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଧିଷ୍ଟ ସଂପୃକ୍ତ ଖଣ୍ଡାଲାଇଟ୍ ଖଣି ଏବଂ ପଥର ବିକ୍ରି ବାବଦର ୧୭ କୋଟି ଟଙ୍କା କୁଆଡ଼େ ଗଲା, ତାହା ଉପରେ ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।