ଭୁବନେଶ୍ୱର: ଭାରତର ନିର୍ବାଚନ କମିସନଙ୍କ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସଆଇଆର)ରେ ହୋଇଥିବା କାରସାଦି ଆଉ ଲୁଚି ନାହିଁ । ଦେଶର ୧୩ କୋଟି ଭୋଟରଙ୍କ ଅଧିକାର ଛଡ଼ାଇ ନିଆଯାଇଥିବାର ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଯେଉଁଥିରେ ଅଛନ୍ତି ଓଡ଼ିଶାର ୨୭ ଲକ୍ଷ ୫୦ ହଜାର ଭୋଟର । ବିଜେପି ଇଙ୍ଗିତରେ ଏସଆଇଆରରେ ରାଜ୍ୟର ଏତେ ସଂଖ୍ୟକ ଭୋଟର ବାଦ୍ ପଡ଼ିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ସିଧାସଳଖ ଅଭିଯୋଗ ଅଣାଯାଇଛି । ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ ନାୟକ ଓ ମୁଖପାତ୍ର ଲେନିନ ମହାନ୍ତି ଏହି ପ୍ରସଙ୍ଗକୁ ନେଇ ଭୀଷଣ ବର୍ଷିଛନ୍ତି ।
ଭୃଗୁ ବକ୍ସିପାତ୍ର କହିଛନ୍ତି, ଏସଆଇଆର-୨୦୨୬ର ସ୍ୱଚ୍ଛତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟକାରିତା ସନ୍ଦେହ ଘେରରେ । ଡବଲ ଇଞ୍ଜିନ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜେପିକରଣରେ ଉକ୍ତ ପ୍ରକିୟା ସମ୍ପାଦିତ ହୋଇଛି । ତେଣୁ ମୁଖ୍ୟ ନିର୍ବାଚନ କମିସନର ଉକ୍ତ ଦାୟିତ୍ୱ ନିର୍ବାହ କରିବାର ଆଉ ନୈତିକ ଅଧିକାର ନାହିଁ । ଭୋଟର ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏସଆଇଆର ପ୍ରକିୟା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଜେଡି ଅନୁଧ୍ୟାନ କରିଥିଲା । ଓଡ଼ିଶାରେ ଏସଆଇଆର-୨୦୨୬ ପ୍ରକିୟାରେ ଅନିୟମିତତା ହୋଇଛି । ନିଜ ଇଛାନୁସାରେ ନିର୍ବାଚନ ଅଧିକାରୀ ସମସ୍ତ ନିୟମକୁ ଅବମାନନା କରି ଏହାକୁ ସମ୍ପାଦନ କରିଛନ୍ତି । ଏହାକୁ ନେଇ ବିଜେଡି ବାରମ୍ବାର ଅଭିଯୋଗ କରିଆସିଛି ।
ବର୍ତ୍ତମାନ ସାରା ଦେଶରେ ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ମୁଖ୍ୟ ନିର୍ବାଚନ କମିସନର ଏସଆଇଆର ପ୍ରକ୍ରିୟାକୁ ଅଗଣତାନ୍ତ୍ରିକ ଭାବେ ସମ୍ପାଦନ କରିଛନ୍ତି । ବିଜେପି ନେତା ମାନେ ନିର୍ବାଚନ ଅଧିକାରୀଙ୍କ ମୁଖପାତ୍ର ସାଜିଛନ୍ତି । ନିର୍ବାଚନ ଅଧିକାରୀଙ୍କ ପାଇଁ ସଫେଇ ଦେଇ ବିଜେପି ମୁଖପାତ୍ର ମାନେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଏସ୍ଆଇଆର ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିଜେପି ଇଙ୍ଗିତରେ ହିଁ ହୋଇଛି । ଦୁଇ ନିର୍ବାଚନ କମିସନର ମୁଖ୍ୟ ନିର୍ବାଚନ କମିସନରଙ୍କ ନାମରେ ଅଭିଯୋଗ କରିବା କୌଣସି ଛୋଟ କଥା ନୁହେଁ । ଉକ୍ତ ଘଟଣା ପର୍ଦ୍ଦାଫାସ ହେବା ପରେ ସମସ୍ତଙ୍କ ମନ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏସ୍ଆଇଆର ପ୍ରକ୍ରିୟାରେ ଦେଶରେ ୧୩ କୋଟି ଓ ରାଜ୍ୟରେ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି । ନିର୍ବାଚନ ଅଧିକାରୀ ବିଜେପି ଦଳକୁ ସୁହାଇବା ଭଳି କାର୍ଯ୍ୟ କରିଛନ୍ତି । ଲୋକଙ୍କ ଗଣତାନ୍ତ୍ରିକ ଅଧିକାରୀକୁ ମୁଖ୍ୟ ନିର୍ବାଚନ କମିସନର ସୁରକ୍ଷା ଦେବା ବଦଳରେ ତାହାକୁ କ୍ଷୁଣ୍ଣ କରିଛନ୍ତି ।
ବିଜୟ ନାୟକ କହିଛନ୍ତି, ଏସଆଇଆର ପ୍ରକ୍ରିୟାରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟ ସନେ୍ଦହ ଘେରକୁ ଆସିଛି । ଏସଆଇଆର ପ୍ରକ୍ରିୟା ଆରମ୍ଭରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତିନିଧି ରାଜ୍ୟରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ ବାଦ୍ ପଡିଥିବା ନେଇ ଚିଠି ଦେଇଥିଲେ । ଏହାସହିତ ପ୍ରକ୍ରିୟା ଆରମ୍ଭରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ବିଏଲଓ ମାନେ ବିଜେପି କର୍ମୀ ମାନଙ୍କ ସହ ମିଶି ପ୍ରକ୍ରିୟା କରାଇବେ । ଯେଉଁମାନେ ବିଜେପିକୁ ଭୋଟ୍ ଦେଉନାହାନ୍ତି, ତାଙ୍କ ନାମକୁ ଭୋଟର ତାଲିକାରୁ ବାଦ୍ ଦିଆଯିବ ବୋଲି ଶ୍ରୀ ଜୈନ ମନ୍ତବ୍ୟ ଦେଇଥିଲେ । ଉକ୍ତ ପ୍ରକ୍ରିୟା ସମୟରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ପରିଗଣନା ଫର୍ମ ମିଳିଲା ନାହିଁ । ଏହାକୁ ନେଇ ବିଜେଡି ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଆପତ୍ତି ଓ ଅଭିଯୋଗ ପ୍ରଦାନ କରିବା ସମୟରେ ରାଜନୈତିକ ଦଳ ମାନଙ୍କ ସହ ନିର୍ବାଚନ ଅଧିକାରୀ ଆଲୋଚନା ଓ ବୈଠକ କରିବାର ନିୟମ ରହିଥିବା ବେଳେ ନିର୍ବାଚନ ଅଧିକାରୀ କୌଣସି ବୈଠକ କି ଆଲୋଚନା କଲେ ନାହିଁ । ଫର୍ମ ୭ ଜରିଆରେ ଲୋକେ ଗଦା ଗଦା ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଜୀବିତ ଲୋକ ମାନଙ୍କୁ ଫର୍ମ ୭ ଜରିଆରେ ବାଦ୍ ଦିଆଯାଇଛି । ଯାହାର ଅନେକ ପ୍ରମାଣ ରହିଛି । ୨୭ ଲକ୍ଷ ୫୦ ହଜାର ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ।
ଲେନିନ ମହାନ୍ତି କହିଛନ୍ତି, ଏସଆଇଆର ପ୍ରକ୍ରିୟାରେ ବିଭିନ୍ନ ଆଳ ଦେଖାଇ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ନିର୍ବାଚନ ଅଧିକାରୀ ୨୦ ଲକ୍ଷ ୧୨ ହଜାର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା କହିଥିଲେ । ତେବେ ଉକ୍ତ କଥା ଓ ପ୍ରଦତ୍ତ ତଥ୍ୟ ମଧ୍ୟରେ କିଛି ତାଳମେଳ ରହିଲା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଭୋଟର ଯୋଡ଼ିବାକୁ ଗୁରୁତ୍ୱ ଦେଉଥିବା ବେଳେ ବିଜେପି ଭୋଟର ତାଲିକାରୁ ନାମ ବାଦ୍ ଦେଉଛି । ସରକାରୀ ସଂସ୍ଥା ଗୁଡ଼ିକୁ ଲଗାଇ ନିର୍ବାଚନ ଜିତିଛି ବିଜେପି । ତେଣୁକରି ସରକାରୀ ସଂସ୍ଥା ମାନେ ଏପରି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ସମ୍ପୂର୍ଣ୍ଣ ଏସଆଇଆର ପ୍ରକିୟାର ପୁନଃ ଯାଞ୍ଚ କରାଯାଉ ।