ଭୁବନେଶ୍ୱର: ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷା ଭାବେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। କେବଳ ଓଡ଼ିଆ କହିବା ନୁହେଁ, ଏହି ଭାଷାରେ ଜ୍ଞାନ ହାସଲ, ଦକ୍ଷତା ବିକାଶ ଓ ନୂଆ ସୁଯୋଗ ସୃଷ୍ଟି କରିବା ହିଁ ଭାଷାର ପ୍ରକୃତ ସଶକ୍ତୀକରଣ। ସାମାଜିକ-ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ‘ବିଶ୍ୱମୁକ୍ତି’ ପକ୍ଷରୁ ଆୟୋଜିତ ‘ଆମ ଭାଷା- ଆମ ଗର୍ବ ଓ ବିକଶିତ ଓଡ଼ିଶା@୨୦୩୬ ପାଇଁ ଦୃଷ୍ଟିଭଙ୍ଗୀ’ ଶୀର୍ଷକ ରାଜ୍ୟସ୍ତରୀୟ ସେମିନାରରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଆଇନ, ଅବକାରୀ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ରଚିତ କବିତା ସଂକଳନ ‘ଉଠିବକି ଜାତିର କଙ୍କାଳ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।







