ଭୁବନେଶ୍ୱର: ଭୁବନେଶ୍ୱରରେ ମେୟର ଲଢ଼ିବା ପାଇଁ ବିଜେପିରୁ ଯୋଗ୍ୟ ପ୍ରାର୍ଥୀ ମିଳିଲେ ନାହିଁ ନା ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଥାପି ଦିଆଗଲା? ଜିତିବା ପାଇଁ ସୁନୀତିଙ୍କୁ ପ୍ରାର୍ଥୀ କରାଯାଇଛି ନା ହାରିବା ନିଶ୍ଚିତ ଜାଣି ହାତ ଟେକି ଦିଆଯାଇଛି? ଆଜି ବିଜେପିର ମେୟର ପ୍ରାର୍ଥୀ ଘୋଷଣା ହେଲା ପରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆନ୍ଦୋଳିତ ହେଉଛି ।
ମେୟର ପ୍ରାର୍ଥୀ ହେବା ପାଇଁ ସୁନୀତି ମୁଣ୍ଡ୍ ଅଯୋଗ୍ୟ ବୋଲି କେହି କହୁନାହାନ୍ତି । ସେ ଉଚ୍ଚ ଶିକ୍ଷିତା । ସୁଲେଖିକା । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ହୁଏତ ପ୍ରବୀଣା । ମାତ୍ର ରାଜଧାନୀବାସୀ ତାଙ୍କୁ କେତେ ଜାଣନ୍ତି ତାହା ବଡ଼ ପ୍ରଶ୍ନ । ଦଳୀୟ ଦୃଷ୍ଟିକୋଣରୁ ବି ସେହି ସମାନ ଅବସ୍ଥା । ଦଳରେ ସେ ନୂଆ ହୋଇଥିବାରୁ କର୍ମୀମହଲରେ ସମ୍ପୂର୍ଣ୍ଣ ଅଚିହ୍ନା, ଅଜଣା । ନିର୍ବାଚନ ପ୍ରଚାର ପାଇଁ ହାତରେ ୧୫ ଦିନ ସମୟ ଥିବାରୁ ତାଙ୍କର ଗ୍ରହଣୀୟତା ଉପରେ ପ୍ରଶ୍ନ ଆସିବା ସ୍ୱାଭାବିକ ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ । ସୁନୀତି ମୁଣ୍ଡ୍ ଙ୍କୁ କେମିତି ଚୟନ କରାଗଲା ତାହାର ମଧ୍ୟ ଏକ ବିବରଣୀ ଦେଇଥିଲେ । ଦଳ ଏବଂ ବିଭିନ୍ନ କ୍ଷେତ୍ରରୁ ସର୍ବମୋଟ ୨୫ ଜଣ ମେୟର ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିଲେ । ସାଂସଦ ସେମାନଙ୍କ ବାୟୋଡ଼ାଟା ଦେଖିଲା ପରେ ଜଣ ଜଣ କରି ସାକ୍ଷାତକାର ନେଇଥିଲେ । ତାଙ୍କ ବିଚାରରେ ସୁନୀତି ଥିଲେ ଯୋଗ୍ୟତମ ପ୍ରାର୍ଥୀ । ସାଂସଦଙ୍କ କଥା ସତ ହୋଇଥିଲେ, ଦଳ ଭିତରେ ମେୟର ହେବା ପାଇଁ ସେଭଳି ଯୋଗ୍ୟ ମହିଳା ନାହାନ୍ତି ବୋଲି ବୁଝିବାକୁ ହେବ ।
ତେବେ ସାଂସଦଙ୍କର ଏହି କ୍ୟାଣ୍ଡିଡେଟ୍ ସିଲେକ୍ସନ୍ ଥିଓରିକୁ ରାଜନୈତିକ ପର୍ଯ୍ୟବେକ୍ଷକମହଲ ବିଶ୍ୱାସ କରୁନାହାନ୍ତି । ସେମାନଙ୍କ ମତରେ ପ୍ରାର୍ଥୀ ଚୟନରେ ସାଂସଦଙ୍କର ମନମାନି ସତ ହୋଇଥିଲେ ମଧ୍ୟ ରାଜ୍ୟ ନେତୃତ୍ୱ ତାହାକୁ ଅନ୍ଧ ଭାବରେ ଗ୍ରହଣ କରିବାର କାରଣ ଅନ୍ୟ କିଛି ହୋଇପାରେ ।
ରାଜନୈତିକ ସମୀକ୍ଷକଙ୍କ ମତରେ, ପଞ୍ଚାୟତ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟର ପ୍ରଭାବ ସହରମୁହାଁ ହେବା ଅସମ୍ଭବ ନୁହେଁ । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଲଢ଼ିବାର ଦାୟିତ୍ୱ ଅପରାଜିତାଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ତାଙ୍କ ଉପରେ ବଜ୍ର ପଡ଼ିଛି । ଖୋଦ୍ ନିଜ ସଂସଦୀୟ କ୍ଷେତ୍ରରେ ବିଫଳତା ତାଙ୍କୁ ଶକ୍ତ ଆଘାତ ଦେଇଛି । ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଲଢ଼ିବାର ପୂର୍ବ ଜୋସ୍ ତେଣୁ ସେ ହରାଇ ଦେଇଛନ୍ତି । ଶକ୍ତିଆଳୀ ବିଜେଡ଼ି ସଂଗଠନକୁ ତାଙ୍କର ଆଖି ପାଉନାହିଁ । ଏହା ମେୟର ପ୍ରାର୍ଥୀ ଚୟନରେ ବିଭ୍ରାଟକୁ ଡାକି ଆଣିଛି ।
ସେପଟେ ହାରିବା ସୁନିଶ୍ଚିତ ଜାଣି ଦଳରେ ଥିବା କିଛି ଆଶାୟୀ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ହେବାକୁ ରାଜି ହୋଇନାହାନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଯିଏ ରାଜି ଥିଲେ ତାଙ୍କୁ ସାଂସଦ ଚାହିଁନାହାନ୍ତି । ଏଭଳିସ୍ଥିତିରେ ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବାକୁ ସାଂସଦ ବାଧ୍ୟ ହୋଇଥାଇପାରନ୍ତି ବୋଲି କୁହାଯାଉଛି ।