ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କର ୟୁ ଟ୍ୟୁବ୍ ଚାନେଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଏକ ଏପିସୋଡ୍ କରିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ବାବୁ କିଭଳି ବିଳାସବ୍ୟସନରେ ବୁଡ଼ିଛନ୍ତି ତାହାର ଖୁଲାସା କରିଛନ୍ତି । ସରପଞ୍ଚରୁ ରାଜନୈତିକ ଜୀବନ ଆରମ୍ଭ କରି ମାତ୍ର ୫୨ ବର୍ଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନିଥିବା ଏକ ସାଧାରଣ ପରିବାରର ଏହି ଯୁବକଙ୍କଠାରୁ ଓଡ଼ିଶାବାସୀ ଅନେକ ଆଶା ରଖିଥିବା ବେଳେ ସେ କିନ୍ତୁ ପୂର୍ବର ସେହି ମୋହନ ମାଝୀ ହୋଇନାହାନ୍ତି । ସରକାରୀ ଅର୍ଥରେ ବିଳାସପୂର୍ଣ୍ଣ ଜୀବନ କାଟିବା ତାଙ୍କର ପସନ୍ଦ ହୋଇଛି । ରୁବେନ୍ ବାନାର୍ଜୀଙ୍କ ଏହି ଖୁଲାସା ସାରା ରାଜ୍ୟରେ ଚହଳ ପକାଇଛି । ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦେବାକୁ ସବୁଆଡୁ ଦାବି ହୋଇଛି ।
କଣ ତାଙ୍କର ସେହି ବିଳାସଜୀବନ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ କାର୍ଯ୍ୟରେ ରାଜ୍ୟ ବାହାରକୁ ଗଲେ ସାଦାସିଧା ହୋଟେଲରେ ରହିବାକୁ ପସନ୍ଦ କରୁନାହାନ୍ତି । ଅତି ନାମୀଦାମୀ ଷ୍ଟାର୍ ବାଲା ହୋଟେଲରେ ରହିବାକୁ ପସନ୍ଦ କରୁଛନ୍ତି । ପୁଣି ସାଧାରଣ ସୁଇଟ୍ ରେ ନୁହେଁ, ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ ରହୁଛନ୍ତି । ଯେଉଁଠି ରାତିକ ରହଣୀ ଖର୍ଚ୍ଚ ପଡ଼େ ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କା ।
ରୁବେନ୍ ଙ୍କ ତଥ୍ୟ ଅନୁଯାୟୀ,
ନିକଟରେ ମୁମ୍ବାଇ ଗସ୍ତ କରିଥିଲେ ମୋହନ ମାଝୀ । ଫିକି ସହଯୋଗରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠି ସେ ଦାମୀ ଓବେରାଇ ହୋଟେଲର ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ ରାତ୍ରୀଯାପନ କରିଥିଲେ । ରାତିକ ପାଇଁ ଏହି ପ୍ରେସିଡେନ୍ସିଆଲ୍ ସୁଇଟ୍ ର ଭଡ଼ା ହେଉଛି ୩ ରୁ ୪ ଲକ୍ଷ ଟଙ୍କା । ଏହି ବିଲ୍ ଫିକି ନାଁରେ ହୋଇଥିଲା । ଫିକି ଇପିକଲରୁ ଏହା ଭରଣା କରିଥିଲା । ଯାହା କି ରାଜ୍ୟ ସରକାରଙ୍କ ବଜେଟ୍ ଅର୍ଥ । ସୁତରାଂ ଲୋକଙ୍କ ଟିକସ ପଇସାରେ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଅୟସ କରିଥିଲେ ।
ସେହିଭଳି ଗତ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ଷ୍ଟିଲ୍ ଏକ୍ସପୋରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଅତିଥିମାନଙ୍କ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଭବନ ଏବଂ ଓଡ଼ିଶା ନିବାସର ମରାମତି କାର୍ଯ୍ୟ ଚାଲୁଥିବାରୁ ପଞ୍ଚତାରକା ହୋଟେଲ ଆଇଟିସି ଅଶୋକାରେ ଅସ୍ଥାୟୀ ରହଣୀର ବ୍ୟବସ୍ଥା ରହିଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ରହିଥିଲେ ଆଇଟିସି ମୌର୍ଯ୍ୟର ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ । ସେଠାରେ ରାତିକ ପାଇଁ ଭଡ଼ା ୫ ଲକ୍ଷ ଟଙ୍କା । ଅଢ଼େଇ ହଜାର ବର୍ଗଫୁଟ ଜାଗା ବିଶିଷ୍ଟ ଏହି ସୁଇଟ୍ ରେ ପ୍ରାଇଭେଟ୍ ଜିମ୍, ସୁଇମିଂ ପୁଲ୍ ଠାରୁ ଆରମ୍ଭ କରି ସବୁ ଅତି ଆରାମ ଦାୟକ ବ୍ୟବସ୍ଥା ଅଛି ।
ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବା ବେଳେ ତାଜ୍ ହୋଟେଲର ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ ଅବସ୍ଥାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିଥିଲା ବେଳେ ବିଶ୍ୱର ଦାମୀ ହୋଟେଲ ବର୍ଗୀୟ ‘ସାଙ୍ଗ୍ରି ଲା’ ରେ ରହିଥିଲେ । ସେଠି ପୁଣି ପ୍ରେସିଡେନ୍ସିଆଲ୍ ସୁଇଟ୍ ରେ । ୪ ବର୍ଷ ତଳେ ଏହି ହୋଟେଲର ଦୈନିକ ଭଡ଼ା ଥିଲା ୮ ଲକ୍ଷ ଟଙ୍କା । ଏବେ ନିଶ୍ଚୟ ଅଧିକ ଥିବ । ସେହି ସୁଇଟ୍ ର ଆକାର ହେଉଛି ସାଢ଼େ ଚାରି ହଜାର ବର୍ଗଫୁଟ । ପୁରା ସ୍ୱର୍ଗପୁରୀ ।
ଜଣେ ମୁଖ୍ୟମନ୍ତ୍ରୀଙ୍କର ଏହି ବ୍ୟୟବହୁଳ ହୋଟେଲ ରହଣିକୁ ନେଇ ସିଙ୍ଗାପୁରରେ ଥିବା ଭାରତର ରାଷ୍ଟ୍ରଦୂତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କୌଣସି ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଆସି ସାଙ୍ଗ୍ରି ଲା ରେ ରହିବା ପ୍ରଥମ ଥର ପାଇଁ ସେ ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ଅଫିସରମାନଙ୍କ ଆଗରେ କୁଆଡ଼େ ଏହା ପ୍ରକାଶ କରିଥିଲେ ।
ଏ ତ ଗଲା ମୁଖ୍ୟମନ୍ତ୍ରୀଙ୍କର ସିଙ୍ଗାପୁର, ମୁମ୍ବାଇ ଏବଂ ଦିଲ୍ଲୀରେ ଲକ୍ଷ ଲକ୍ଷ ଟଙ୍କାର ହୋଟେଲ ରହଣି ଖର୍ଚ୍ଚ ।
ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ କି ମୁମ୍ବାଇ ଯିବା ପାଇଁ ଇଣ୍ଡିଗୋ, ଏୟାର ଇଣ୍ଡିଆ ବିମାନ ମନପାଉନି । ତାଙ୍କ ସୁବିଧା ପାଇଁ ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ଆଉ ଏକ ବିମାନ ଭଡ଼ାରେ ଆଣିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ପୂର୍ବରୁ ଗୋଟିଏ ଭଡ଼ା ବିମାନ ଥିଲା । ଯାହାର ଭଡ଼ା ହେଉଛି ଦେଢ଼ କୋଟି ଟଙ୍କା । ଏହି ବିମାନର ଉଡ଼ାଣ କ୍ଷମତା କମ୍ ଥିବାରୁ ଦୂରଯାତ୍ରା କରିହେଉ ନ ଥିଲା । ଅତି ବେଶୀରେ କୋଲକତା କି ପାଟଣା ଯାଇ ହେଉଥିଲା । ମାତ୍ର ନୂଆ ବିମାନରେ ଦିଲ୍ଲୀ, ମୁମ୍ବାଇ ଯାତ୍ରାରେ ଅସୁବିଧା ନାହିଁ । ଏହି ବିମାନର ଭଡ଼ା ହେଉଛି ଘଣ୍ଟାକୁ ୮ ଲକ୍ଷ ଟଙ୍କା । ରାଜିନାମା ଅନୁଯାୟୀ ବିମାନ ଉଡ଼ୁ କି ନ ଉଡ଼ୁ, ମାସକୁ ଅତି କମ୍ ରେ ୨୦ ଘଣ୍ଟାର ଉଡ଼ାଣ ପଇସା ଦେବାକୁ ପଡ଼ିବ । ଅର୍ଥାତ ମାସକୁ ଭଡ଼ା ହେଉଛି ୧ କୋଟି ୬୦ ଲକ୍ଷ ଟଙ୍କା ।
ଯାତ୍ରୀବାହୀ ବିମାନର ଇକୋନମି ଶ୍ରେଣୀରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କଲେ ୧୦ ହଜାର ପଡୁଥିବା ବେଳେ ବିଜିନେସ୍ କ୍ଲାସ୍ ଭଡ଼ା ହେଉଛି ୩୦ ହଜାର ଟଙ୍କା । ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଢ଼ କୋଟି ଟଙ୍କା ଭଡ଼ା ବିମାନରେ ଦିଲ୍ଲୀ, ମୁମ୍ବାଇ ଯା ଆସ କରୁଛନ୍ତି ।
ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ଏହି ତଥ୍ୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କଠାରୁ ଏହାର ଉତ୍ତର ଚାହିଁଛନ୍ତି । ଏହା କ’ଣ ସତ କି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ।
ଓଡ଼ିଶା ଭଳି ଏକ ଗରିବ ରାଜ୍ୟର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଥିବା ମୋହନ ମାଝୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସୋସିଆଲ୍ ମିଡିଆରେ ସାଧାରଣ ଜନତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।